୯ ଜିଲ୍ଲାରେ ଉପଯୋଗ ହୋଇଛି ସିଏସ୍‌ଆର୍‌ ପାଣ୍ଠି

ଗଜପତି ଜିଲ୍ଲାରେ ଖର୍ଚ୍ଚ ଶୂନ

ନୂଆଦିଲ୍ଲୀ: ଗଜପତି ଜିଲ୍ଲାକୁ ବାଦ ଦେଇ ଓଡ଼ିଶାର ଅନ୍ୟ ୯ଟି ଆକାଂକ୍ଷୀ ଜିଲ୍ଲାରେ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ପାଣ୍ଠି ଉପଯୋଗ ହୋଇଛି। କେନ୍ଦ୍ର ଯୋଜନା ଓ କ୍ରିୟାନ୍ବୟନ ମନ୍ତ୍ରାଳୟ ଦ୍ବାରା ଉପଲବ୍‌ଧ ତଥ୍ୟରୁ ଜଣାପଡ଼ିଛି, ୨୦୧୯-୨୦ରେ ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ବଲାଙ୍ଗୀରରେ ୦.୦୬ କୋଟି ଟଙ୍କା, ‌ଢେଙ୍କାନାଳରେ ୪.୭୦ କୋଟି ଟଙ୍କା, କଳାହାଣ୍ଡିରେ ୧୦.୫୦ କୋଟି ଟଙ୍କା, କନ୍ଧମାଳରେ ୧.୧୨ କୋଟି ଟଙ୍କା, କୋରାପୁଟରେ ୧୫.୧୩ କୋଟି ଟଙ୍କା, ମାଲକାନଗିରିରେ ୦.୦୨କୋଟି ଟଙ୍କା, ନବରଙ୍ଗପୁରରେ ୦.୦୧ କୋଟି ଟଙ୍କା, ନୂଆପଡ଼ାରେ ୦.୩୦ କୋଟି ଟଙ୍କା ଓ ରାୟଗଡ଼ାରରେ ୬.୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ୨୦୨୦-୨୧ରେ ବଲାଙ୍ଗୀରରେ ୯.୫୩ କୋଟି ଟଙ୍କା, ଢେଙ୍କାନାଳରେ ୩.୩୨ କୋଟି ଟଙ୍କା, କଳାହାଣ୍ଡିରେ ୭.୨୭ କୋଟି ଟଙ୍କା, କୋରାପୁଟରେ ୧୩.୨୨ କୋଟି ଟଙ୍କା, ନୂଆପଡ଼ାରେ ୦.୦୧ କୋଟି ଟଙ୍କା ଓ ରାୟଗଡ଼ାରେ ୨.୬୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୨୦-୨୧ରେ ଗଜପତି, କନ୍ଧମାଳ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ ଶୂନ ରହିଛି।

ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ୨୦୧୯-୨୦ ରେ ୩୩୬.୩୨ କୋଟି ଟଙ୍କା ଓ ୨୦୨୦ -୨୧ରେ ୫୧୬.୩୪ କୋଟି ଟଙ୍କା ବିନିଯୋଗ ହୋଇଛି। ଏହି ପାଣ୍ଠି କୃଷି ଜଙ୍ଗଲ, ପଶୁ ସଂପଦ ବିକାଶ, କଳା ଓ ସଂସ୍କୃତି, ପ୍ରାକୃତିକ ସଂପଦର ସଂରକ୍ଷଣ, ଶିକ୍ଷା, ପରିବେଶ ସ୍ଥାୟିତ୍ବ, ଲିଙ୍ଗଗତ ସମାନତା, ଜୀବିକା ବୃଦ୍ଧି, ଦାରିଦ୍ର୍ୟ ନିରାକରଣ, ଗ୍ରାମୀଣ ବିକାଶ, ସ୍ବଚ୍ଛ ଜଳ ଯୋଗାଣ, ପରିମଳ, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କଲ୍ୟାଣ, ଅନାଥ ଆଶ୍ରମ ସ୍ଥାପନ, ସ୍ବତନ୍ତ୍ର ଶିକ୍ଷା, ସ୍ବଚ୍ଛ ଭାରତ କୋ‌ଷ ଓ ମହିଳା ସଶକ୍ତିକରଣ ଆଦି ୨୮ ଟି ‌କ୍ଷେତ୍ରରେ ବିନିଯୋଗ ହେଉଛି। ଏଥି ପାଇଁ କେନ୍ଦ୍ର ସରକାରଙ୍କର ଅଧିକାରୀମାନଙ୍କୁ ପ୍ରତ୍ୟେକ ଆକାଂକ୍ଷୀ ଜିଲ୍ଲାର ପ୍ରଭାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପ୍ରତି ମାସରେ ଆକାଂକ୍ଷୀ ଜିଲ୍ଲାର ପ୍ରଗତି ସମୀକ୍ଷା କରାଯାଉଛି। କେନ୍ଦ୍ର ସରକାର ଏହି ସବୁ ଜିଲ୍ଲାର ପ୍ରଗତିର ସମୀକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି କ୍ରମରେ କିଛି କେନ୍ଦ୍ର ମନ୍ତ୍ରୀ ଚଳିତ ସପ୍ତାହରେ ଓଡ଼ିଶା ଗସ୍ତ କରି ୧୦ ଆକାଂକ୍ଷୀ ଜିଲ୍ଲାର ପ୍ରଦର୍ଶନ ଓ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବେ। ମନ୍ତ୍ରାଳୟ ସୂଚନା ଅନୁସାରେ ଏହା ସହ ଦେଶର ୯୦ ଟି ଆକାଂକ୍ଷୀ ଜିଲ୍ଲାକୁ ୫୧୯.୦୨ କୋଟି ଟଙ୍କାର ପରଫର୍‌ମାନ୍‌ସ ଗ୍ରାଣ୍ଟ ପ୍ରଦାନ କରାଯାଇଛି। ଏଥିରୁ ବଲାଙ୍ଗୀର ଜିଲ୍ଲାକୁ ୧୦.୯୮ କୋଟି ଟଙ୍କା, ଢେଙ୍କାନାଳ ଜିଲ୍ଲାକୁ ୪.୪୯ କୋଟି ଟଙ୍କା, ଗଜପତି ଜିଲ୍ଲାକୁ ୩ କୋଟି ଟଙ୍କା, କଳାହାଣ୍ଡି ଜିଲ୍ଲାକୁ ୬ କୋଟି ଟଙ୍କା, କୋରାପୁଟ ଜିଲ୍ଲାକୁ ୩ କୋଟି ଟଙ୍କା, ମାଲକାନଗିରି ଜିଲ୍ଲାକୁ ୪.୮୪ କୋଟି ଟଙ୍କା, ନବରଙ୍ଗପୁର ଜିଲ୍ଲାକୁ ୮ କୋଟି ଟଙ୍କା ଓ ନୂଆପଡ଼ା ଜିଲ୍ଲାକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର