ବାଘୁଣୀ ଜଗିଥିବା ବେଳେ ଉଦ୍ଧାର ହେଲା କୂଅରେ ପଡ଼ିଥିବା ଛୁଆ

ଭୋପାଳ: ସୋମବାର ରାତିରେ ମଧ୍ୟପ୍ରଦେଶର କାନ୍ତି ଜିଲ୍ଲାରେ ଗୋଟାଏ ୩୦ ଫୁଟ୍‌ ଗଭୀର କୂଅ ମଧ୍ୟରେ ପଡ଼ିଯାଇଥିବା ଗୋଟାଏ ଆଠମାସିଆ ବାଘଛୁଆକୁ ମଙ୍ଗଳବାର ବିଳମ୍ବିତ ଅପରାହ୍ଣରେ ମୁକୁନ୍ଦପୁର ବାଘ ସଫାରିର ବିଶେଷଜ୍ଞ ଟିମ୍‌ ଉଦ୍ଧାର କରିଥିବା କଥା ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି।

ଛୁଆକୁ ଜଗି ରହିଥିବା ମାଆ ବାଘୁଣୀ ଆଖପାଖରେ ବୁଲାବୁଲି କରୁଥିବାରୁ ସ୍ଥାନୀୟ ବନ କର୍ମଚାରୀମାନେ ଅପରାହ୍ଣ ଯାଏଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପାରି ନ ଥିଲେ।

କୂଅରୁ ବାହାର କରାଯିବା ପରେ ୬୩ କିଲୋଗ୍ରାମ ଓଜନର ସେ ବାଘଛୁଆକୁ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଇଥିଲା। ଏହାକୁ ରାଜ୍ୟର ଉମରିଆ ଜିଲ୍ଲାରେ ଥିବା ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣରେ ଛଡ଼ାଯିବା ବୋଲି ସ୍ଥିର କରାଯାଇଛି ବୋଲି ମୁକୁନ୍ଦପୁର ବାଘ ସଫାରିର କର୍ମଚାରୀ ରାଜେଶ କୁମାର କହିଛନ୍ତି।

Representive Image Courtesy of Times of India

ଜିଲ୍ଲାର ବାର୍‌ହି ଫରେଷ୍ଟ୍‍ ରେଞ୍ଜ୍‌ରେ ଗୋଟାଏ ବାଘୁଣୀ ତା’ର ଚାରିଛୁଆଙ୍କ ସହ ବୁଲାବୁଲି କରୁଥିବା ଦେଖାଯାଇଥିଲା। ମଙ୍ଗଳବାର ସକାଳ ଛଅଟା ବେଳେ କୂଅ ଭିତରୁ ବାଘ ହେଣ୍ଟାଳ ଶୁଭୁଥିବା କଥା ଜଣେ ଗାଈଆଳ ଶୁଣିଥିଲେ। ସେ ଗ୍ରାମବାସୀଙ୍କୁ ଡାକି କହିବା ପରେ ସେମାନେ ସକାଳ ୭ଟା/୮ଟା ବେଳେ ବନ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ।

ସମ୍ଭବତଃ ଛୁଆଟି ଅଧରାତି ପରେ କୂଅରେ ପଡ଼ିଯାଇଥିଲା।

କୂଅମଧ୍ୟସ୍ଥ ଛୁଆକୁ ଟ୍ରାଙ୍କ୍ୟୁଲାଇଜର୍‌ମାରି ଅଚେତ କରିବା ପରେ ଶିଡ଼ି ଲଗାଇ ଟିମ୍‌ କୂଅରେ ପଶି ଜାଲ ଯୋଗେ ବାଘଛୁଆକୁ କାଢ଼ିଥିଲେ।
ବାଘଛୁଆ ଏବଂ ଉଦ୍ଧାର କାର୍ଯ୍ୟ ଦେଖିବାକୁ ଆଖପାଖ ଗାଁରୁ ଗୁଡ଼ାଏ ଲୋକ ଗହଳି କରିଥିଲେ।

ଅଢ଼େଇ ବର୍ଷ ଯାଏଁ ମାଆ ସାଙ୍ଗରେ ରହୁଥିବା ବାଘଛୁଆକୁ ଆଠ ମାସ ହେଲେ ସେ ମାଆ ସହିତ ମିଶି ଶିକାର କରେ। ଅଠରମାସ ହୋଇଗଲେ ବାଘଛୁଆ ନିଜେ ନିଜେ ଶିକାର କରେ।

ସମ୍ବନ୍ଧିତ ଖବର