ଏର୍ଣ୍ଣାକୁଲମ୍ : ଏର୍ଣ୍ଣାକୁଲମ୍ ସହର ଓ ଆଖପାଖ ଅଞ୍ଚଳରେ ବିଳମ୍ବିତ ସନ୍ଧ୍ୟାରେ ରାସ୍ତାରେ ଯାତାୟାତ କରୁଥିବା ମହିଳାଙ୍କ ସୁରକ୍ଷା ପାଇଁ କର୍ମଜୀବୀ ମହିଳାମାନେ ଶୁକ୍ରବାର ଦରବାର ହଲ ପଡ଼ିଆରେ ଏକ ବୈଠକ କରିଥିଲେ। ଏହି ମହିଳାମାନଙ୍କ ମଧ୍ୟରେ ଅନେକ ବରିଷ୍ଠ ବ୍ୟୁରୋକ୍ରାଟ୍, ଓକିଲ ଓ ଜଜ୍ ମଧ୍ୟ ଥିଲେ। ପ୍ରାୟ ୩୫୦ ମହିଳା ଦର୍ଶକ ଗାନ୍ଧୀ ଛକରେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ।

Advertisment

ଅଲ୍‌-ଇଣ୍ଡିଆ ଲୟର୍ସ ୟୁନିୟନ (ଏଆଇଏଲ୍‌ୟୁ)ର କେରଳ ଶାଖାର ମହିଳା ସବ୍‌କମିଟି ‘ସିଜ୍ ଦ ନାଇଟ୍’ ଶୀର୍ଷକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ମହିଳାଙ୍କ ସ୍ବାଧୀନତା ସହ ବିଳମ୍ବିତ ସନ୍ଧ୍ୟାରେ ଯିବାଆସିବା ସମୟରେ ସୁରକ୍ଷା ବିଷୟରେ କାର୍ଯ୍ୟକ୍ରମଟି ପର୍ଯ୍ୟବସିତ ଥିଲା। ଜିଲ୍ଲା ପର୍ଯ୍ୟଟନ ପ୍ରମୋସନ କାଉନ୍‌ସିଲ (ଡିଟିପିସି) ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲା। ରାତ୍ରିକାଳୀନ ଗମନାଗମନ ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ ‌ସରକାରଙ୍କୁ ଏକ ସ୍ମରକପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଶନିବାର ସନ୍ଧ୍ୟା ୮ଟାରୁ ଆରମ୍ଭ ହୋଇ ରାତ୍ରି ୧ଟା ୪୫ରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ସୂଚନାଯୋଗ୍ୟ ନିକଟରେ ଜଣେ୧୯ ବର୍ଷୀୟା ମଡେଲଙ୍କୁ ଏର୍ଣ୍ଣାକୁଲମ୍ ସାଉଥ୍‌ରେ ଏକ କାର୍ ଭିତରେ ଗଣଦୁଷ୍କର୍ମ କରାଯାଇଥିଲା। ପରଦିନ ସମସ୍ତ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଦିନକୁ ଦିନ ଏର୍ଣ୍ଣାକୁଲମ୍ ସହର ମହିଳାଙ୍କ ପାଇଁ ବିଶେଷତଃ ରାତିରେ କାମରୁ ଘରକୁ ଫେରୁଥିବା କର୍ମଜୀବୀ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଥିବାରୁ ସୁରକ୍ଷା ସଚେତନତା ସୃଷ୍ଟି କରିବା ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।