ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ, ୨୨ରେ ପାଇବେ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆବେଦନ କରାଯାଇଥିବା ଦୁଇଟି କ୍ୟୁରେଟିଭ ପିଟିସନର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଆଜି ତାହାକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଦୁଇ ଦୋଷୀଙ୍କ ଆବେଦନକୁ ଖାରଜ କରିଦେବା ଫଳରେ ଦୋଷୀସାବ୍ୟସ୍ତ ୪ ଅପରାଧୀଙ୍କ ଫାଶୀ ପାଇବା ନିଶ୍ଚିତ ହୋଇଯାଇଛି।

ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ୍ ଦାଖଲ କରିଥିଲେ। ବିଚାରପତି ଏନ ଭି ରମନ୍ନା, ଅରୁଣ ମିଶ୍ରା, ଆର୍‌ ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଆବେଦନକୁ ଖାରଜ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ‌୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ। ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଅରୋରା ଦୋଷୀମାନଙ୍କୁ ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନା ଶୁଣାଇ ସାରିଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି।  ସୁପ୍ରିମ କୋର୍ଟଙ୍କ  ଏହି ଶୁଣାଣି ଉପରେ ସାରା ଦେଶର ନଜର ରହିଥିଲା।

Image source– newsclick

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା। ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ।

ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା। ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଦୋଷୀ ଘୋଷଣା କରିବା ସହ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଥିଲେ।

୫ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ ଆବେଦନ କରିଥିଲେ ଏବଂ ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ।

ସମ୍ବନ୍ଧିତ ଖବର