ନୋଟବନ୍ଦୀ ପରେ ହାଉଯାଉ ହେଉଥିବା ୨ ହଜାର ଟଙ୍କିଆ ନୋଟ୍‌ ମୋଦୀ-୨ ଶାସନରେ ଉଭାନ୍‌! ଜାଣନ୍ତୁ, ଉଭାନ୍‌ ହେବା ପଛର କାରଣ…

ନୂଆଦିଲ୍ଲୀ: ମୋଦୀ-୧ ଶାସନ କାଳରେ ହୋଇଥିବା ନୋଟବନ୍ଦୀ ପରେ ବଜାରରେ ୨ ହଜାର ଟଙ୍କିଆ ନୋଟର ପ୍ରବଲ୍ୟ ବୃଦ୍ଧି ପାଇଥିଲା। ତେବେ, ମୋଦୀ-୨ ଶାସନ ଆରମ୍ଭରୁ ୨ ହଜାର ଟଙ୍କିଆ ନୋଟ ବଜାରରୁ ପ୍ରାୟ ଏକପ୍ରକାର ଉଭାନ୍‌ ହୋଇଯାଇଛି। ଏଟିଏମ୍‌ ମେସିନ୍‌ମାନଙ୍କରୁ ବିଗତ କିଛି ମାସ ହୋଇଗଲାଣି ଆଉ ବାହାରୁ ନାହିଁ ୨ ହଜାର ଟଙ୍କିଆ ନୋଟ। ସରକାର ଏସଂପର୍କରେ ନିରବ ରହିଥିବା ବେଳେ, ସୂଚନା ଅଧିକାର ଆଇନ୍‌ (ଆର୍‌ଟିଆଇ) ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)କୁ ମଗା ଯାଇଥିବା ଏକ ତଥ୍ୟର ଉତ୍ତରରେ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ଗୋଟିଏ ହେଲେ ବି ୨ ହଜାର ଟଙ୍କିଆ ନୋଟ ଛପା ଯାଇନାହିଁ।

ତେବେ, ୨୦୧୬-୧୭ ଆର୍ଥିକ ବର୍ଷରେ ୩,୫୪୨.୯୯୧ ମିଲିୟନର ୨ ହଜାର ଟଙ୍କିଆ ନୋଟ୍‌ ଛପା ଯାଇଥିବା ସ୍ୱୀକାର କରିଛି ଆର୍‌ବିଆଇ। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ୧୧୧.୫୦୭ ମିଲିୟନ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ମାତ୍ର ୪୬.୬୯୦ ମିଲିୟନର ୨ ହଜାର ଟଙ୍କଆ ନୋଟ ଛାପା ଯାଇଥିଲା। କିନ୍ତୁ, ୨୦୧୯-୨୦ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ଖଣ୍ଡିଏ ବି ୨ ହଜାର ଟଙ୍କିଆ ନୋଟ ଛପାଯାଇ ନଥିବା କହିଛି ଆର୍‌ବିଆଇ। ହେଲେ, ଏହାର କାରଣ ସଂପର୍କରେ ନିରବତା ଅବଲମ୍ବନ କରିଛି ଆରବିଆଇ।

ଏପରିସ୍ଥିତିରେ ଦେଶର ଅର୍ଥଶାସ୍ତ୍ରୀମାନେ ଆର୍‌ବିଆଇର ଏପ୍ରକାର ନିଷ୍ପତ୍ତି ପଛର କାରଣ ଖୁଲାସା କରିଛନ୍ତି। ଦେଶର ଖ୍ୟାତନାମା ଅର୍ଥଶାସ୍ତ୍ରୀ ନୀତୀନ ଦେଶାଇ କହିଛନ୍ତି ଯେ ଦେଶକୁ କଳାଧନରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସରକାର ଆରବିଆଇ ମାଧ୍ୟମରେ ଏପରି ନିଷ୍ପତ୍ତି ନେଇଛନ୍ତି। କାରଣ, କଳାଧନ ମହଜୁଦ୍‌କାରୀମାନେ ସାଧାରଣତଃ ଉଚ୍ଚ ମୂଲ୍ୟଯୁକ୍ତ ନୋଟଗୁଡ଼ିକୁ ହୋର୍ଡିଂ କରି କଳାଧନ ମହଜୁଦ୍‌ ରଖିଥାନ୍ତି। ତେଣୁ, ୨ ହଜାର ଟଙ୍କିଆ ନୋଟ ଛାପା ଉପରେ ସରକାର ଲଗାମ୍‌ ଲଗାଇ ଦେଇଛନ୍ତି। ଏବଂ ବଜାରରେ ଉପଲବ୍ଧ ଥିବା ୨ ହଜାର ଟଙ୍କିଆ ନୋଟସବୁର କାରବାରକୁ ସଙ୍କୁଚିତ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ସେହିପରି ଦେଶର ଅନ୍ୟତମ ଅର୍ଥନୀତିଜ୍ଞ ଶେର ସିଂହ କହିଛନ୍ତି ଯେ ନୋଟବନ୍ଦୀ ପରେ ଦେଶର ଯେତେ ଯେଉଁଠୁ କଳାଧନ ମିଳିଛି ବା ଜବତ ହୋଇଛି, ସବୁଠାରୁ ୨ ହଜାର ଟଙ୍କିଆ ନୋଟ୍‌ ହିଁ ଜବତ ହୋଇଛି। ତେଣୁ ଦେଶକୁ କଳାଧନ ଗଚ୍ଛିତରୁ ମୁକ୍ତ ରଖିବା ସହ ନଗଦ କାରବାରକୁ କମାଇ ଡିଜିଟାଲ କାରବାର ବଢ଼ାଇବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର