ରାଞ୍ଚିରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌ ବନ୍ଦ: ଦୁଇ ଆହତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଉପଦ୍ରବକାରୀଙ୍କ ଟାର୍ଗେଟ୍‌ରେ ପୁଲିସ, ଦୋକାନୀ

ରାଞ୍ଚି: ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ପ୍ରଫେଟ୍‌ ବୟାନ ବିରୋଧରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଗତକାଲିଠାରୁ ଆରମ୍ଭ ହୋଇଥିବା ହିଂସାକୁ ନେଇ ସ୍ଥିତି ଗମ୍ଭୀର ରହିଛି। ଏଠାରେ ବିଭିନ୍ନ ଅଞ୍ଚଳରେ ଦୁଇ ସଂପ୍ରଦାୟ ମୁହାଁମୁହିଁ ସ୍ଥିତିରେ ଥିବାରୁ ୧୨ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ରାଞ୍ଚିରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଶୂନଶାନ ରହିଛି। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ରାଞ୍ଚିରେ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଲଗାଯାଇଛି। ଶୁକ୍ରବାର ନମାଜ ପରେ ହିଂସ୍ର ଭିଡ଼ ଦ୍ବାରା ପ୍ରବଳ ପଥରମାଡ଼ ହୋଇଥିଲା ଏବଂ ପୁଲିସ-ଉପଦ୍ରବକାରୀଙ୍କ ସଂଘର୍ଷ ମଧ୍ୟରେ ପୁଲିସର ଗୁଳିମାଡ଼ରେ ଦୁଇ ଜଣ ଆହତଙ୍କ ମୃତ୍ୟୁ ଘଟିଛି। ଗୁଳିମାଡ଼ରେ ଅନ୍ୟ ୮ ଜଣ ଉପଦ୍ରବକାରୀ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଆକ୍ରମଣକାରୀଙ୍କ ପଥର ମାଡ଼ରେ ମଧ୍ୟ ଅନେକ ପୁଲିସ କର୍ମୀ ଆହତ ହୋଇଛନ୍ତି। ପୁଲିସ ସିସିଟିଭି ଆଧାରରେ ଶତାଧିକ ଉପଦ୍ରବକାରୀଙ୍କୁ ଚିହ୍ନଟ କରିଛି। ଏକରା ମସ୍‌ଜିଦରୁ ବାହାରିବା ପରେ ପ୍ରାୟ ୨ ହଜାର ଲୋକ ଅଚାନକ ହିଂସାତ୍ମକ ବିକ୍ଷୋଭ ଆରମ୍ଭ କରିବାରୁ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଉପଦ୍ରବକାରୀମାନେ ବିଭିନ୍ନ ବଜାର ଅଞ୍ଚଳରେ ବଳପୂର୍ବକ ଦୋକାନ ବନ୍ଦ କରିବା ପରେ ହିଂସା ବଢ଼ିଯାଇଥିଲା। ରାଞ୍ଚିର ଏକ ମନ୍ଦିରରେ ଗତ ରାତିରେ ପେଟ୍ରୋଲ ବୋମା ଦ୍ବାରା ଆକ୍ରମଣ ହୋଇଥିଲା। ସହରର ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ୍‌ କରି ସାଂପ୍ରଦାୟିକ ଦଙ୍ଗା ପାଇଁ ଉଦ୍ୟମ କରାଯାଉଛି ବୋଲି ବିଶ୍ବ ହିନ୍ଦୁ ପରିଷଦ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର