ନୂଆଦିଲ୍ଲୀ: ମୋଗଲ ଶାସକ ଔରଙ୍ଗଜେବଙ୍କ କବର୍ ପ୍ରସଙ୍ଗରେ ଗତକାଲି ବଡ଼ଧରଣର ହିଂସା ହେବାପରେ ମହାରାଷ୍ଟ୍ରର ନାଗପୁର ସହରର ୧୧ଟି ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ତେବେ ଏହି ହିଂସା ଯୋଜନାବଦ୍ଧ ଏବଂ ପୂର୍ବପ୍ରାୟୋଜିତ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଦାବି କରିଛନ୍ତି। ବିଶୃଙ୍ଖଳିତ ଲୋକ କେତେକ ନିର୍ଦ୍ଦିଷ୍ଟ ଘରକୁ ଟାର୍ଗେଟ୍ କରିଛନ୍ତି। ବିଧାନସଭାରେ ଟିପ୍ପଣୀ ରଖି ଫଡ଼ନାବିସ କହିଛନ୍ତି, ହିଂସାରେ ୩ ଡେପୁଟି ପୁଲିସ କମିସନରଙ୍କ ସମେତ ୩୩ ପୁଲିସ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପରେ କୁରାଢ଼ିରେ ଆକ୍ରମଣ ହୋଇଛି। ହିଂସା ଘଟଣାରେ ୫ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି।
୫୦ ଗିରଫ, ୩୩ ପୁଲିସ ଆହତ
ହିଂସା ଯୋଜନାବଦ୍ଧ ଓ ପୂର୍ବ ପ୍ରାୟୋଜିତ: ଫଡ଼ନାବିସ
ସରକାରଙ୍କୁ ଘେରିଲେ ବିରୋଧୀ
ହିଂସା ଘଟଣାରେ ୫୦ ଜଣ ଗିରଫ ହୋଇଛନ୍ତି। ତେବେ ଏହି ହିଂସା ଘଟଣାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ହିଂସା ଏକ ଷଡ଼ଯନ୍ତ୍ର ବୋଲି ସରକାର ଦାବି କରିଥିବାବେଳ ବିରୋଧୀ ଦଳ ନେତାମାନେ କହିଛନ୍ତି, ଏହା ସରକାରଙ୍କ ବିଫଳତା। ଶିବସେନା (ୟୁବିଟି) ବିଧାୟକ ଆଦିତ୍ୟ ଠାକ୍ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାରକୁ ସମାଲୋଚନା କରି ଠାକ୍ରେ କହିଛନ୍ତି, ନାଗପୁରରେ ହିଂସାର ଗୁଜବ ପ୍ରସାରିତ ହେବାପରେ ସିଏମ୍ଓ କାହିଁକି ପ୍ରତିକ୍ରିୟା ପ୍ରକାଶ କରିନଥିଲା। ଯେତେବେଳେ ଏଭଳି ଘଟଣା ଘଟେ ପ୍ରଥମେ ଏହି ଖବର ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହ ବିଭାଗରେ ପହଞ୍ଚେ। ସେମାନଙ୍କ ପାଖରେ କ’ଣ ଏନେଇ କିଛି ଖବର ନଥିଲା କି। ମୁଁ ଭାବୁଛି ବିଜେପି ମହାରାଷ୍ଟ୍ରକୁ ପରବର୍ତ୍ତୀ ମଣିପୁରରେ ପରିଣତ କରିବାକୁ ଚାହୁଛି ବୋଲି ଆଦିତ୍ୟ ଠାକ୍ରେ କହିଛନ୍ତି।