ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ଯୋଗୁଁ ପ୍ରତିବାଦ ତୀବ୍ରତର ହେବାରୁ ୱାସିଂଟନ୍‌ରେ କର୍ଫ୍ୟୁ ଜାରି

ୱାସିଂଟନ୍: ମିନ୍ନିଆପଲିସ୍‌ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ଘଟଣା ବିପକ୍ଷରେ ପ୍ରତିବାଦ ତୀବ୍ରତର ହେବାରୁ ରବିବାର ଦିନ ୱାସିଂଟନ୍ ଡିସିର ମେୟର୍ ମୁରିଏଲ୍ ବାଉଜର୍ ସମଗ୍ର ସହରରେ କର୍ଫ୍ୟୁ ଜାରି କରିଛନ୍ତି। ମେଟ୍ରୋପଲିଟାନ୍ ପୋଲିସ୍ ଡିପାର୍ଟମେଣ୍ଟ୍‌କୁ ସହଯୋଗ କରିବାକୁ ଡିସି ନ୍ୟାସ୍‌ନାଲ୍ ଗାର୍ଡକୁ ସକ୍ରିୟ କରୁଥିବା କଥା ମଧ୍ୟ ବାଉଜର୍ ଘୋଷଣା କରିଛନ୍ତି। ଫ୍ଲଏଡ୍‌ଙ୍କ ମୃତ୍ୟୁ ପାଇଁ ଦାୟୀ ପୁଲିସ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରତିବାଦର ତୃତୀୟ ଦିବସରେ ମେୟର କର୍ଫ୍ୟୁ ଘୋଷଣା କରିଛନ୍ତି।

ହଜାର ହଜାର ପ୍ରତିବାଦକାରୀ ରାସ୍ତା ଉପରକୁ ଚାଲିଆସି ହ୍ବାଇଟ୍‌ ହାଉସ୍‌ ନିକଟରେ ବିଶାଳ ବିକ୍ଷୋଭ ଆରମ୍ଭ କରିବାରୁ ସହରରେ ଆଇନଶୃଙ୍ଖଳା ବଜାୟ ରଖିବା ଆଇନ ପ୍ରବର୍ତ୍ତନକାରୀ କର୍ମଚାରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇଗଲା।

Image Courtesy: News18

ଏଠାରେ ପ୍ରକାଶ କରାଯାଇପାରେ ଯେ, ଫ୍ଲଏଡ୍‌ଙ୍କ ମୃତ୍ୟୁ ଘଟଣା ସହ ଜଡ଼ିତ ମିନ୍ନିଆପଲିସ୍‌ର ଚାରି ଜଣ ପୁଲିସ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଫ୍ଲଏଡ୍‌ଙ୍କ ମୃତ୍ୟୁ ଘଟଣା ହେଉଛି ଗତ ସୋମବାରର ଘଟଣା। ଏକ ଜାଲିଆତି ଅଭିଯୋଗରେ ତଦନ୍ତକାରୀ ପୁଲିସ ତାଙ୍କ ଗଳା ଉପରେ ପ୍ରାୟ ୮ ମିନିଟ୍ ନିଜର ଆଣ୍ଠୁ ଚାପି ରଖିବା ଫଳରେ ଫ୍ଲଏଡ୍‌ଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି। କିନ୍ତୁ, ପୁଲିସ ଏହାକୁ ଖଣ୍ଡନ କରି କହିଛି, ଫ୍ଲଏଡ୍‌ଙ୍କର ଅନ୍ୟ କିଛି ଶାରୀରିକ ସମସ୍ୟା ଥିବା କଥା ମନେହେଉଥିଲା। ଗିରଫ ହେବାର ଅଳ୍ପ କେତେ ଘଣ୍ଟା ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା।

 

ସମ୍ବନ୍ଧିତ ଖବର