କରୋନା ମୁକାବିଲା : ଆକ୍ରାନ୍ତଙ୍କ ସଂଖ୍ୟା ୪୬୮କୁ ବୃଦ୍ଧି ,ମୃତ୍ୟୁ ସଂଖ୍ୟା ୯; ମହାରାଷ୍ଟ୍ର, ପଞ୍ଜାବରେ କର୍ଫ୍ୟୁ

୩୦ ରାଜ୍ୟ,କେନ୍ଦ୍ରଶାସିତ ଅଞ୍ଚଳରେ ଲକ୍‌ ଡାଉନ୍‌
୨୫ରୁ ଘରୋଇ ବିମାନ ଚଳାଚଳ ବନ୍ଦ
ଲକ୍‌ ଡାଉନ୍‌ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ
ଗମ୍ଭୀରତାର ସହ ନେବାକୁ ମୋଦୀଙ୍କ ନିବେଦନ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୪୬୮କୁ ବୃଦ୍ଧି ପାଇଥିବା ବେଳେ ଏଥିରେ ଏପର୍ଯ୍ୟନ୍ତ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ମହାରାଷ୍ଟ୍ର ଓ ପଞ୍ଜାବରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ୩୦ଟି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ୩୧ ତାରିଖ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ଏହି ଲକ୍ ଡାଉନ୍‌ର ଉଲ୍ଳଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର ଚେତାବନୀ ଶୁଣାଇଛନ୍ତି। କହିଛନ୍ତି ଯେ ଉଲ୍ଲଂଘନକାରୀଙ୍କୁ ୧ ହଜାର ଟଙ୍କା ଜୋରିମାନା କିମ୍ବ‌‌ା ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିବ।

ମିଳିଥିବା ସୂଚନା ଅନୁଯାୟୀ କୋଲକାତାରେ ଆଜି ଜଣେ ୫୭ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ଗତ ସପ୍ତାହରେ ସେ କରୋନା ପଜିଟିଭ ଥିବା ଜଣା ପଡ଼ିବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସଂପୃକ୍ତ ବ୍ୟକ୍ତିଙ୍କର ହୃଦରୋଗ ସମସ୍ୟା ମଧ୍ୟ ରହିଥିଲା। ସଂପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ଇଟାଲି ଗସ୍ତରେ ପୂର୍ବରୁ ଯାଇଥିଲେ। ତେବେ ସରକାରୀ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁକୁ କରୋନା ଜନିତ ବୋଲି ସ୍ପଷ୍ଟ କରିନାହାନ୍ତି। ପଶ୍ଚିମବଙ୍ଗରେ ଆଜି ଏହି ବ୍ୟକ୍ତିଙ୍କର ମୃତ୍ୟୁ ହେବା ପୂର୍ବରୁ ରବିବାର ଦିନ ଗୁଜରାଟ, ବିହାର ଏବଂ ମହାରାଷ୍ଟ୍ରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ବିହାରରେ ଗତକାଲି ଜଣେ ୩୮ ବର୍ଷୀୟ ଯୁବକର ମୃତ୍ୟୁ ହୋଇଥିଲା। ତାଙ୍କର କିଡନି ଜନିତ ରୋଗ ପୂର୍ବରୁ ରହିଥିଲେ ମଧ୍ୟ ସେ ନିକଟରେ କତାର ଗସ୍ତରୁ ଫେରିଥିଲେ। ଏମ୍‌ସ ପାଟନାରେ ତାଙ୍କର ମୃତ୍ୟୁ ହୋଇଥିଲା।

କରୋନା ପାଇଁ ଦେଶର ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୮୨ଟି ଜିଲ୍ଲାରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଯେଉଁସବୁ ଜିଲ୍ଲାରେ କରୋନା ପିଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ସେହିସବୁ ଜିଲ୍ଲାକୁ ଲକଡାଉନ୍ କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟ ସରକାର ଚାହିଁଲେ ଲକ୍‌ଡାଉନ୍ ଜିଲ୍ଲା ସଂଖ୍ୟା ବଢ଼ାଇ ପାରିବେ। ମଙ୍ଗଳବାର ମଧ୍ୟରାତିରୁ ଦେଶରେ ବିମାନର ଘରୋଇ ଉଡ଼ାଣକୁ ବାତିଲ କରି ଦିଆଯାଇଛି। ଆଜି ଏ ସମ୍ପର୍କରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମଙ୍ଗଳବାର ରାତି ୧୨ଟା ଠାରୁ କୌଣସି ଘରୋଇ ବାଣିଜ୍ୟିକ ବିମାନ ଉଡ଼ାଣ କରିବ ନାହିଁ ବୋଲି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ହୋଇଥିବାବେଳେ ରାଜ୍ୟ ସରକାର ଏଠାରେ କଠୋର ପଦକ୍ଷେପ ନେଇଛନ୍ତି। ଲୋକମାନେ ନିୟମ ମାନୁ ନଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି। ଏଥିସହିତ ମହାରାଷ୍ଟ୍ର ସବୁ ଜିଲ୍ଲା ସୀମାକୁ ସିଲ୍ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପଞ୍ଜାବ ମୁଖ୍ରମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ରାଜ୍ୟବ୍ୟାପୀ କର୍ଫ୍ୟୁ ଜାରି କରିଛନ୍ତି। ତେବେ ଏଥିରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ଏହି ଅତ୍ୟାବଶ୍ୟକ ସେବାର ତାଲିକା ପରେ ପ୍ରକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ଡିଜିଙ୍କ ସହିତ ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳମାନଙ୍କୁ ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ କୁହାଯାଇଛି। ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରିରେ ମଧ୍ୟ ସୋମବାର ରାତି ୯ଟାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ‌ଏହି ଘୋଷଣା କରିଛନ୍ତି।

ଦେଶର ଯେଉଁସବୁ ରାଜ୍ୟରେ ଲକ୍‌ ଡାଉନ୍ କାର୍ଯ୍ୟକାରୀ କରାଯାଇଛି ସେସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସହିତ ଗୃହ ସଚିବ ଅଜୟ ଭାଲ୍ଲା ସୋମବାର ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶର ୧୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରି ସାରିଲେଣି। ସେହି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ହେଉଛି ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଜମ୍ମୁ କାଶ୍ମୀର, ନାଗାଲାଣ୍ଡ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଲାଦାଖ, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ, ବିହାର, ତ୍ରିପୁରା, ତେଲେଙ୍ଗାନା, ଛତିଶଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶ।

ଲକଡାଉନ୍‌କୁ ଗମ୍ଭୀରତାର ସହ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକମାନଙ୍କୁ ନିବେଦନ କରିଛନ୍ତି। ଲକଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଲୋକମାନେ ସେମାନଙ୍କୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ବଞ୍ଚାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିୟମ ଏବଂ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ନି‌ର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର