ଦେଶରେ ଏବେ ବିଭିନ୍ନ ଜେଲ୍‌ରେ ଅଛନ୍ତି ୬୭% ହିନ୍ଦୁ କଏଦୀ, ୧୮% ମୁସ୍‌ଲିମ

୫୬୦୦ କଏଦୀ ବୈଷୟିକ ଡିଗ୍ରିଧାରୀ, କଏଦୀଙ୍କ ମଧ୍ୟରୁ ୨୭.୩୭% ନିରକ୍ଷର

ନୂଆଦିଲ୍ଲୀ : ଦେଶରେ ଏବେ ବିଭିନ୍ନ ଜେଲ୍‌ରେ ୬୭.୧୦ ପ୍ରତିଶତ ହିନ୍ଦୁ ଏବଂ ୧୭.୮୨ ପ୍ରତିଶତ ମୁସ୍‌ଲିମ କଏଦୀ ରହିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାପଡ଼ିଛି। ହିନ୍ଦୁ କଏଦୀଙ୍କ ସଂଖ୍ୟ ୩,୨୧,୧୫୫ ଥିବା ବେଳେ ମୁସ୍‌ଲିମ କଏଦୀଙ୍କ ସଂଖ୍ୟା ୮୫,୩୦୭ ରହିଛି। ୧୮,୦୦୧ ଜଣ ଶିଖ୍‌ କଏଦୀ ବିଭିନ୍ନ ଜେଲ୍‌ରେ ବନ୍ଦ ଥିବା ବେଳେ ଖ୍ରୀଷ୍ଟିଆନ କଏଦୀଙ୍କ ସଂଖ୍ୟା ହେଉଛି ୩୫୫୭। ମହିଳା କଏଦୀଙ୍କ ମଧ୍ୟରେ ୧୩,୪୧୬ ହିନ୍ଦୁ ରହିଥିବା ବେଳେ ୩୧୬୨ ଜଣ ମୁସ୍‌ଲିମ ଅଛନ୍ତି। ୭୨୧ ଜଣ ଶିଖ୍‌ ମହିଳା କଏଦି ଥିବା ବେଳେ ୨୬୧ ଜଣ ଅନ୍ୟ ସଂପ୍ରଦାୟର ମହିଳା କଏଦୀ ବୋଲି ଜଣାପଡ଼ିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୭୨,୫୧୨ ଜଣ ହିନ୍ଦୁ ଏବଂ ୨୭,୪୫୯ ଜଣ ମୁସ୍‌ଲିମ କଏଦୀ ଅଛନ୍ତି। ପଂଜାବରେ ସର୍ବାଧିକ ୧୨୭୭୮ ଶିଖ୍‌ କଏଦୀ ଅଛନ୍ତି।

ଦେଶରେ ବନ୍ଦୀ ଥିବା ୪,୭୮,୬୦୦ କଏଦୀଙ୍କ ମଧ୍ୟରୁ ୩,୧୫,୪୦୯ (୬୫.୯୦%) ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗର। ସର୍ବାଧିକ ୧,୬୨,୮୦୦ କଏଦୀ ଓବିସି ବର୍ଗର ବୋଲି ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି। ମଧ୍ୟପ୍ରଦେଶରେ ସର୍ବାଧିକ ଅନୁସୂଚିତ ଜନଜାତିର କଏଦୀ ଥିବା ଜଣାପଡ଼ିଛି। ପଶ୍ଚିମବଂଗ ସରକାର ୨୦୧୮ ଏବଂ ୨୦୧୯ରେ କଏଦୀଙ୍କ ବାବଦରେ ତଥ୍ୟ ପ୍ରଦାନ କରିନାହାନ୍ତି। ଏବେ ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରୁ ୨୭.୩୭ ପ୍ରତିଶତ ନିରକ୍ଷର ବୋଲି ଜଣାପଡ଼ିଛି। ସେମାନଙ୍କ ସଂଖ୍ୟା ହେଉଛି ୧,୩୨,୭୨୯। ଅନ୍ୟ ପକ୍ଷରେ ବୈଷୟିକ ଡିଗ୍ରି କିମ୍ବା ଡିପ୍ଲୋମା ହାସଲ କରିଥିବା କଏଦୀଙ୍କ ସଂଖ୍ୟା ହେଉଛି ୫୬୭୭। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଉପଲବ୍ଧ ଏହି ତଥ୍ୟକୁ ସଂସଦରେ ଉପସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର