ନୂଆଦିଲ୍ଲୀ: କଷ୍ଟମ ବିଭାଗ ଦ୍ୱାରା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟି ଟଙ୍କାର ୨ଟି ଘଣ୍ଟା ଜବତ କରାଯାଇଛି। ଏହି ଘଣ୍ଟା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଇନଭଏସ୍ ନଥିବା ବେଳେ ଏହି ଘଣ୍ଟା କିଣିଥିବା ନେଇ ସେ କୌଣସି ସୂଚନା ଦେଇନଥିଲେ। ଆଇସିସି ଟୁର୍ନାମେଣ୍ଟରେ ହାରିବା ପରେ ଭାରତୀୟ ଦଳ ସ୍ବଦେଶ ଫେରିଥିଲେ। ଦଳ ସହ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରବିବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। କିନ୍ତୁ ବିମାନବନ୍ଦରରେ ହିଁ ତାଙ୍କୁ କଷ୍ଟମ ବିଭାଗ ଅଟକାଇ ତାଙ୍କର ଦୁଇଟି ଘଣ୍ଟା ଜବତ କରିଥିବା ଜଣାପଡିଛି | ଏହି ଦୁଇଟି ଘଣ୍ଟାର ମୂଲ୍ୟ ୫କୋଟି ଟଙ୍କା ଥିଲା।
ତେବେ ନିକଟରେ ଶେଷ ହୋଇଥିବା ଆଇସିସି ଟି -୨୦ କ୍ରିକେଟ୍ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିପାରିନଥିଲେ | ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜଣେ ଭଲ ଅଲରାଉଣ୍ଡର ଭାବେ ବିବେଚନା କରାଯାଏ | କିନ୍ତୁ ଏହି ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ। ଟି -୨୦ କ୍ରିକେଟ୍ ବିଶ୍ୱକପ ୨୦୨୧ର ୩ ଇନିଂସରେ ହାର୍ଦ୍ଦିକଙ୍କ ବ୍ୟାଟରୁ ମାତ୍ର ୬୯ ରନ୍ ଆସିଥିଲା। ବିଶେଷକରି ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ସହ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ୱିକେଟ୍ ହରାଇଥିଲେ।