ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଜଣେ ଗ୍ରାହକ ଯାତ୍ରା ପାଇଁ ରାପିଡୋ ବାଇକ ବୁକ କରିଥିଲେ। ଗ୍ରାହକ କହିଥିବା ଠିକଣା ଅନୁଯାୟୀ ରାପିଡୋ ବାଇକ ଚାଳକ ଆସି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।
ହାଇଦ୍ରାବାଦର ରାପିଡୋ ଚାଳକ ଗ୍ରାହକଙ୍କୁ ବାଇକରେ ବସାଇ ତାଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ନେଉଥିବା ବେଳେ ବାଟରେ ଗାଡ଼ିରୁ ତେଲ ସରି ଯାଇଥିଲା। ଏହାପରେ ଚାଳକ ଜଣକ ଗ୍ରାହକଙ୍କୁ ଗାଡ଼ିରୁ ଓହ୍ଲାଇବାକୁ କହି କହିଥିଲେ, ‘ଆଜ୍ଞା ଗାଡ଼ିରୁ ତେଲ ସରି ଯାଇଛି। ଆପଣ ଓହ୍ଲାଇଲେ ମୁଁ ଏହାର କିଛି ବ୍ୟବସ୍ଥା କରିବି। ନିକଟସ୍ଥ ପେଟ୍ରୋଲ ପମ୍ପକୁ ଯାଇ ପେଟ୍ରୋଲ ଭର୍ତ୍ତି କରି ଆଣିଲେ ଆମେ ପୁଣିଥରେ ଯାତ୍ରା ଆରମ୍ଭ କରିବା।’
ଗ୍ରାହକ କିନ୍ତୁ ଚାଳକଙ୍କ କୌଣସି କଥା ଶୁଣି ନଥିଲେ। ସେ ଗାଡ଼ିରେ ସେମିତି ବସି ରହିଥିଲେ। ବାଧ୍ୟ ହୋଇ ରାପିଡୋ ଚାଳକ ଗ୍ରାହକଙ୍କୁ ଗାଡ଼ିରେ ବସାଇ ଠେଲିଠେଲି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ତେଲ ଭରିବା ପରେ ରାପିଡୋ ଚାଳକ ଗ୍ରାହକଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।
ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ଅଟୋ ଚାଳକ ଏହି ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଯାଇଛି।
ଭିଡିଓ ଦେଖି ଲୋକେ ଉକ୍ତ ଗ୍ରାହକଙ୍କ ମାନବିକତା ବୋଲି କିଛି ନାହିଁ ବୋଲି କହୁଥିବା ବେଳେ ରାପିଡୋ ଚାଳକଙ୍କ କର୍ତ୍ତବ୍ୟକୁ ଭୁରିଭୁରି ପ୍ରଶଂସା କରୁଛନ୍ତି।