ବେଙ୍ଗାଲୁରୁ: ବିମାନରେ ଦୁବାଇରୁ ଆସି କେମ୍ପେଗୌଡ଼ା ଇଣ୍ଟର୍ନେସ୍ନାଲ୍ ଏୟାର୍ପୋର୍ଟର ଏୟାର୍ କାର୍ଗୋ କମ୍ଲେକ୍ସ୍ରେ ରଖାଯାଇଥିବା ଜେଟ୍ ପମ୍ପ୍ଗୁଡ଼ିକରୁ ବେଙ୍ଗାଲୁରୁ କଷ୍ଟମ୍ସ୍ ଅଧିକାରୀମାନେ ୩୩ କିଲୋ ଓଜନର ସୁନା ପାଇଛନ୍ତି। ଏହି ସୁନାର ମୂଲ୍ୟ ୯. ୪ କୋଟି ଟଙ୍କା ହେବ।
ଏୟାର୍ କାର୍ଗୋରେ ବିପୁଳ ପରିମାଣର ଚୋରା ସୁନା ସହରକୁ ଆସୁଛି ବୋଲି ସାମାନ୍ୟ ସୂଚନା ପାଇଥିଲେ ବେଙ୍ଗାଲୁରୁ କଷ୍ଟମ୍ ଅଧିକାରୀମାନେ। ସେଥିପାଇଁ କେମ୍ପେଗୌଡ଼ା ଇଣ୍ଟର୍ନେସ୍ନାଲ୍ ଏୟାର୍ପୋର୍ଟର ଏୟାର୍ ଇଣ୍ଟେଲିଜେନ୍ସ୍ ୟୁନିଟ୍ ତନ୍ନ ତନ୍ନ କରି କାର୍ଗୋ ପରିସରକୁ ଖୋଜାଖୋଜି କରି ଶେଷକୁ ପମ୍ପ୍ ସେଟ୍ଗୁଡ଼ିକ ଉପରେ ଦୃଷ୍ଟି ନିବଦ୍ଧ କରି ସେଥିରେ ଲୁଚା ଯାଇଥିବା ସୁନାର ସନ୍ଧାନ ପାଇଥିଲେ।
ବୁଧବାର ପ୍ରାୟ ରାତି ସାଢ଼େ ଆଠଟାବେଳେ କଷ୍ଟମ୍ ଦଳ ପମ୍ପ୍ଗୁଡ଼ିକୁ ଖୋଲି ଭଲ ଭାବେ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ତହିଁରେ ଲାଗିଥିବା କେତେକ ବୈଦ୍ୟୁତିକ ଉପକରଣ ନିଦା ସୁନାରେ ନିର୍ମିତ। ୨୨ କ୍ୟାରେଟ୍ ସୁନାରେ ଏହି ଉପକରଣଗୁଡ଼ିକ ତିଆରି କରାଯାଇ ସେଥିରେ ରଙ୍ଗ ବୋଳା ଯାଇଥିଲା। ଫଳରେ ତାହା କାର୍ଗୋ ୟୁନିଟ୍ରେ ଥିବା ସ୍କାନିଙ୍ଗ୍ରେ ମଧ୍ୟ ଧରା ପଡୁ ନ ଥିଲା।
୨୦୧୭ ମସିହାରେ ଜବତ କରା ଯାଇଥିବା ସୁନା ମଧ୍ୟରେ ଏହା ସର୍ବାଧିକ। ଏହି ପମ୍ପ୍ଗୁଡ଼ିକର ଗ୍ରହୀତାଙ୍କୁ କଷ୍ଟମ୍ ଅଧିକାରୀମାନେ ଚିହ୍ନଟ କରିବାକୁ ଉଦ୍ୟମ କରୁଛନ୍ତି। ଏଯାବତ୍ ସେଗୁଡ଼ିକୁ ଗ୍ରହଣ କରିବାକୁ କେହି ଆସି ନାହାନ୍ତି। କେତୋଟି ପମ୍ପ୍ରେ ଏହି ସୁନା ଆସିଛି ସେ କଥା କଷ୍ଟମ୍ ଅଧିକାରୀମାନେ କହୁ ନାହାନ୍ତି। ଏହା କିଏ ପଠାଇଛି ଏବଂ କିଏ ଗ୍ରହଣ କରିବ ତାହା ମଧ୍ୟ ସେମାନେ କହୁ ନାହାନ୍ତି।