ଜଘନ୍ୟ: ଲିଭ୍-ଇନ୍ ସଙ୍ଗିନୀକୁ ଖଣ୍ଡ ଖଣ୍ଡ କରି କୁକର୍ରେ ସିଝାଇଲା
ମୁମ୍ବାଇରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ପୁନରାବୃତ୍ତି
ମୁମ୍ବାଇ: ମୁମ୍ବାଇରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ପୁନରାବୃତ୍ତି ହୋଇଛି। ମୁମ୍ବାଇ ମୀରା ରୋଡ୍ ନିକଟରେ ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ ମନୋଜ ସାଣେ ଓ ସରସ୍ବତୀ ବୈଦ୍ୟ। ସେମାନେ ଗତ କିଛି ବର୍ଷ ହେବ ଲିଭ୍-ଇନ୍ ସଂପର୍କରେ ରହୁଥିଲେ। ମନୋଜ ସାଣେର ବୟସ ୫୬ ଏବଂ ସରସ୍ବତୀ ବୈଦ୍ୟଙ୍କ ବୟସ ୩୬। ମନୋଜ ସାଣେ ନିଜ ଲିଭଇନ୍ ସଙ୍ଗିନୀ ସରସ୍ବତୀ ବୈଦ୍ୟଙ୍କ ଅତି ବୀଭତ୍ସ ଭାବେ ହତ୍ୟା କରିଛି ଏବଂ ହତ୍ୟା ପରେ ଶରୀରକୁ ଗଛକଟା ମେସିନ୍ରେ ୨୦ ଖଣ୍ଡ କରି କାଟିବାପରେ ପ୍ରେସର କୁକର୍ରେ ସିଝାଇଛି। ଏହାପରେ ଏଗୁଡ଼ିକୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ପୂରାଇ ଧୀରେ ଧୀରେ ଫୋପାଡ଼ିବାର ଯୋଜନା କରିଥିଲା। ଅଭିଯୁକ୍ତ ମନୋଜକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ପୁଲିସ ନିକଟରେ ଦାବି କରିଛି ଯେ ସରସ୍ବତୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଭୟରେ ସେ ଏହି କଥା ଲୁଚାଇବାପାଇଁ ତାଙ୍କ ଶରୀରକୁ ଏମିତି ଭାବେ ନଷ୍ଟ କରି ଫୋପାଡ଼ି ଦେବାପାଇଁ ଯୋଜନା କରିଥିଲା ବୋଲି କହିଛି।
ମନୋଜ ସାଣେ ବୋରିଭାଲି ବାସିନ୍ଦା। ସେ ଏକ ରାସନ ଦୋକାନରେ କାମ କରୁଥିଲା। ଅନ୍ୟପକ୍ଷେ ସରସ୍ବତୀ ବୈଦ୍ୟ ହେଉଛନ୍ତି ଜଣେ ଅନାଥ। ତାଙ୍କର କୌଣସି ସମ୍ପର୍କୀୟ ନଥିବାରୁ ସେ ଅନାଥାଶ୍ରମରେ ରହୁଥିଲେ ଏବଂ ୨୦୧୪ରେ ମନୋଜ ସାଣେ ସହ ସଂପର୍କରେ ଆସିଥିଲେ। ସେମାନଙ୍କର ରାସନ ଦୋକାନରେ ଭେଟ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ସେମାନେ ଏକାଠି ରହିବାପାଇଁ ନିଷ୍ପତ୍ତି ନେଇଥିଲେ।
ବୁଧବାର ସନ୍ଧ୍ୟାରେ ନୟା ନଗର ଥାନାକୁ ମିରା ରୋଡ୍ ସ୍ଥିତ ଗୀତା ନଗର ଫେଜ୍ ୭ର ଏକ ବିଲ୍ଡିଂରୁ କିଛି ଲୋକ ଫୋନ୍ କରିଥିଲେ। ସେମାନେ ଉକ୍ତ ଲିଭ୍-ଇନ୍ ଦମ୍ପତି ରହୁଥିବା ଫ୍ଲାଟ୍ରୁ ପଚା ଗନ୍ଧ ଆସୁଥିବା ପୁଲିସରେ ଜଣାଇଥିଲେ। ପୁଲିସ ଏହାପରେ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟ କବାଟ ଭାଙ୍ଗି ଭିତରେ ପଶିଥିଲା ଏବଂ ସରସ୍ବତୀଙ୍କ ନଷ୍ଟ ହୋଇଯାଇଥିବା ଶରୀରର କଟା ଖଣ୍ଡ ସବୁ ପାଇଥିଲା। ପୁଲିସ ଅନୁଯାୟୀ ମହିଳାଙ୍କୁ ଗତ କିଛି ଦିନ ତଳେ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ମର ଶରୀର ସହ ରହୁଥିଲା। ପୁଲିସ ଏହି ଫ୍ଲାଟର କିଚେନରୁ ୩ଟି ବାଲ୍ତି ପାଇଛି। ବାଲତିରୁ ଶରୀରର ବିଭିନ୍ନ କଟା ଖଣ୍ଡ ଏବଂ ରକ୍ତ ମିଳିଛି। ସରସ୍ବତୀଙ୍କ ଶରୀରର କିଛି ଅଂଶ ମନୋଜ ଏକ ନର୍ଦ୍ଦମାରେ ଫୋପାଡ଼ିଥିବା ଜଣାପଡ଼ିଛି।