ସିଭି ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂଆ ରାଜ୍ୟପା​ଳ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡ. ସି.ଭି.ଆନନ୍ଦ ବୋଷଙ୍କୁ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତାଙ୍କର ଏହି ନିଯୁକ୍ତି ଲାଗୁ ହେବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି  ।

ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ହେବା ପରେ ପଶ୍ଚିମବଙ୍ଗର ରାଜ୍ୟପାଳ ପଦବୀ ଖାଲି ଥିଲା । ମଣିପୁର ରାଜ୍ୟପାଳ ଲା ଗଣେଶନ ଗତ ଜୁଲାଇରୁ ପଶ୍ଚିମବଙ୍ଗର ରାଜ୍ୟପାଳଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ଧନଖଡ଼ ରାଜ୍ୟପାଳ ଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ଅହୀ-ନକୁଳ ସଂପର୍କକୁ ନେଇ ଚର୍ଚ୍ଚିତ ଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ବିଶ୍ବସ୍ତ ଅଧିକାରୀଭାବେ ସେ ଜଣାଶୁଣା । ମୋଦୀଙ୍କ ବିକାଶ ଏଜେଣ୍ଡାକୁ ପ୍ରସ୍ତୁତି  କରିବାର ଶ୍ରେୟ ତାଙ୍କୁ ଦିଆଯାଏ । ବିଶେଷକରି ‘ସୁଲଭ ଘର’ ଯୋଜନା ତାଙ୍କର ଆଇଡିଆ ବୋଲି କୁହାଯାଏ ।

ଜଣେ ସ୍ତମ୍ଭକାର ଓ ଲେଖକ ଭାବେ ପରିଚିତ ବୋଷ ଇଂରାଜୀ, ମାଲାୟଲମ ଓ ହିନ୍ଦୀରେ ୪୦ଟି ବହି ଲେଖିଛନ୍ତି । ସେ ମଧ୍ୟ ଜବାହରଲାଲ ନେହେରୁ ଫେଲୋସିପ ପାଇଛନ୍ତି ।

ସେ ମଧ୍ୟ କେରଳର ପ୍ରସିଦ୍ଧ ପଦ୍ନନାଭ ସ୍ବାମୀ ମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ସୁପ୍ରିମକୋର୍ଟ ଗଠନ କରିଥିବା କମିଟିର ମୁଖ୍ୟ ଥିଲେ ।

 

ସମ୍ବନ୍ଧିତ ଖବର