ସିବିଆଇ କଳି, ସିଭିସି ହାତ ଖାଲି

ବର୍ମାଙ୍କ ବିରୋଧରେ ପ୍ରମାଣ ମିଳିଲାନି, ଆଜି ସୁପ୍ରିମ୍‌ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ଦେଖାଦେଇଥିବା ବିବାଦର ତଦନ୍ତ କରୁଥିବା ସିଭିସି (ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିସନ୍‌) ହାତରେ କିଛି ପଡ଼ିନାହିଁ। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ହୋଇଥିବା ୨ କୋଟି ଟଙ୍କା ଲାଞ୍ଚ ମାମଲାରେ ତଦନ୍ତ କରିବା ପରେ ସିଭିସିକୁ କୌଣସି ଠୋସ୍‌ ପ୍ରମାଣ ମିଳିପାରି ନାହିଁ। ମାମଲାରେ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଘନଘନ ପଚରାଉଚରା କରାଯାଇଥିଲା। ଉଭୟଙ୍କ ବୟାନ ଏବଂ ହାସଲ କରାଯାଇଥିବା ଦସ୍ତାବିଜକୁ ଆଧାର କରାଯାଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ ହୋଇଥିଲା। କିନ୍ତୁ ଇତିମଧ୍ୟରେ ସିଭିସି ଏହାର ତଦନ୍ତ ଶେଷ କରିଥିବା ବେଳେ ସେମିତି ଠୋସ୍‌ ପ୍ରମାଣ ମିଳିପାରି ନାହିଁ। କମିସନ୍‌ ଆସନ୍ତାକାଲି ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ସୁପ୍ରିମ୍‌ କୋର୍ଟରେ ଦାଖଲ କରିବ। ଆସନ୍ତାକାଲି ମାମଲାର ଶୁଣାଣି ହେବ।

ଉଲ୍ଲେଖଯୋଗ୍ୟ, ବର୍ମା ଓ ଅସ୍ଥାନା ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିବା ପରେ ବିବାଦ ଉପୁଜିଥିଲା। ଅଗଷ୍ଟ ୨୪ରେ ଅସ୍ଥାନାଙ୍କ ପକ୍ଷରୁ ସିଭିସିରେ ବର୍ମାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏହାପରେ ଅସ୍ଥାନାଙ୍କ ବିରୋଧରେ ଅକ୍ଟୋବର ୧୫ରେ ସିବିଆଇ ପକ୍ଷରୁ ମାମଲା ଦାଏର ହୋଇଥିଲା। ଏହାକୁ ନେଇ ସିବିଆଇରେ ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡ଼ିଥିଲା। ଶେଷରେ ସରକାର ହସ୍ତକ୍ଷେପ କରି ଉଭୟଙ୍କୁ ଛୁଟିରେ ପଠାଇ ସିଭିସି ହାତରେ ତଦନ୍ତ ଦାୟିତ୍ବ ଦେଇଥିଲେ। ସୁପ୍ରିମ୍‌ କୋର୍ଟ ପୂର୍ବତନ ବିଚାରପତି ଏ କେ ପଟ୍ଟନାୟକଙ୍କ ନେତୃତ୍ବରେ ସିଭିସି ସମସ୍ତ ଯାଞ୍ଚ କରିଥିଲା। ଅସ୍ଥାନା ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ ମାଂସ ରପ୍ତାନିକାରୀ ମୋଇନ କ୍ୟୁରେଶି ମାମଲା ସହ ଜଡ଼ିତ ହାଇଦ୍ରାବାଦ ବ୍ୟବସାୟୀ ସତୀଶ ବାବୁ ସନାଙ୍କଠାରୁ ବର୍ମା ୨ କୋଟି ଟଙ୍କା ଲାଞ୍ଚ ନେଇଥିଲେ। କିନ୍ତୁ ସତୀଶ ସନା ନିଜ ବୟାନରେ ଅସ୍ଥାନାଙ୍କୁ ୩ କୋଟି ଟଙ୍କା ଲାଞ୍ଚ ଦେଇଥିବା ସିବିଆଇକୁ କହିଥିଲେ। ଏହାପରେ ଅସ୍ଥାନାଙ୍କ ବିରୋଧରେ ସିବିଆଇ ଏତଲା ଦାଏର କରିଥିଲା। ତିମଧ୍ୟରେ ଉଭୟଙ୍କ ବୟାନକୁ ଆଧାର କରି ସିଭିସି ଗତ ଶୁକ୍ରବାର ନିଜ ତଦନ୍ତ ଶେଷ କରିଛି। ଏହାକୁ ସୋମବାର ସୁପ୍ରିମ୍‌ କୋର୍ଟରେ ଦାଖଲ କରାଯିବ। ସୂତ୍ର ମୁତାବକ ଅସ୍ଥାନାଙ୍କ ପକ୍ଷରୁ ହୋଇଥିବା ସମସ୍ତ ଅଭିଯୋଗର ଯାଞ୍ଚ କରାଯାଇଥିଲା। କିନ୍ତୁ ଅସ୍ଥାନାଙ୍କ ଅଭିଯୋଗ ଅନୁସାରେ କିଛି ବି ପ୍ରମାଣ ହସ୍ତଗତ ହୋଇନାହିଁ। ସିଭିସିର କେ ବି ଚୌଧରି, ଭିଜିଲାନ୍ସ କମିସନର ଶରଦ କୁମାର ଏବଂ ଟି ଏମ୍‌ ଭାସିନ୍‌ ତଦନ୍ତ କରୁଥିଲେ।

ସମ୍ବନ୍ଧିତ ଖବର