ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଲାଞ୍ଚ ମାମଲା: ମୁଦା ଲଫାପାରେ ସୁପ୍ରିମ୍‌ କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କଲା ସିଭିସି; ୧୬ରେ ଶୁଣାଣି

ନୂଆଦିଲ୍ଲୀ: ସୋମବାର ଦିନ ସେଣ୍ଟ୍ରାଲ୍‌ ଭିଜିଲାନ୍‌ସ୍‌ କମିସନ୍‌ ସବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ସମ୍ପର୍କୀୟ ପ୍ରାଥମିକ ତଦନ୍ତ ରିପୋର୍ଟ ଏକ ମୁଦା ଲଫାପାରେ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଛି। ଏହି ମାମଲାରେ ଅଧିକ ଶୁଣାଣି ନିମନ୍ତେ ସୁପ୍ରିମ୍‌ କୋର୍ଟ ନଭେମ୍ବର ୧୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

ଦୁଇ ସପ୍ତାହ ମଧ୍ୟରେ ବର୍ମାଙ୍କ ବିରୋଧରେ ଆଗତ ଅଭିଯୋଗର ପ୍ରାଥମିକ ତଦନ୍ତ ସାରିବାକୁ ଅକ୍ଟୋବର ୨୬ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ସିଭିସିଙ୍କୁ ନିର୍ଦେଶ ଦେଇଥିଲେ। ବର୍ମାଙ୍କ ବିରୋଧରେ ଚାଲିଥିବା ତଦନ୍ତର ତଦାରଖ କରିବାକୁ ସୁପ୍ରିମ୍‌ କୋର୍ଟ ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ଏକେ ପଟ୍ଟନାୟକଙ୍କୁ ନିଯୁକ୍ତ କରିଥିଲେ।

କେ ଭି ଚୌଧୁରୀଙ୍କ ନେତୃତ୍ୱାଧୀନ ତିନି ଜଣିଆ ସଦସ୍ୟ ବିଶିଷ୍ଟ ସିଭିସିଙ୍କ ସମ୍ମୁଖରେ ବର୍ମା ହାଜର ହୋଇଥିଲେ। ତାଙ୍କ ଡେପୁଟି ଅସ୍ଥାନା ତାଙ୍କ ବିରୋଧରେ ଆଗତ କରିଥିବା ସମସ୍ତ ଅଭିଯୋଗକୁ ସେ ଗୋଟି ଗୋଟି କରି ଅଗ୍ରାହ୍ୟ କରିଥିବା କଥା ଜଣାପଡ଼ିଛି।

ଭିନ୍ନ ଏକ ପିଟିସନ୍‌ରେ ଏହି ମାମଲାରେ ଅସ୍ଥାନା ମଧ୍ୟ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ଏ ମାମଲା ଅଧିକ ତଦନ୍ତ ଆବଶ୍ୟକ କରୁଛି କି, ନାହିଁ ତାହା ସ୍ଥିର କରିବାକୁ ୧୦ ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମ୍‌ କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର