ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ପଦରୁ ଇସ୍ତଫା ଦେବା ପାଇଁ ଇଛାପ୍ରକାଶ କରିଛନ୍ତି ସୋନିଆ ଗାନ୍ଧି । ଆଜି ଦିଲ୍ଲୀରେ ଚାଲିଥିବା କଂଗ୍ରେସ ୱାର୍କିଂ କମିଟି(ସିଡବ୍ଲୁସି) ବୈଠକରେ ସୋନିଆ ଗାନ୍ଧି ଏହି ଇଚ୍ଛାପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆଗକୁ ସେ ଆଉ ଦଳର ସଭାପତି ରହିବାକୁ ଚାହିୁଁନାହାନ୍ତି । ଦଳ ନୂଆ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରୁ । ବୈଠକ ଆରମ୍ଭ ହେବା ପରେ ଏ ସମ୍ପର୍କିତ ଚିଠି ଦଳର ନେତା କେ.ସି ବେଣୁଗୋପାଳ ପଢିଥିଲେ | ତେବେ ସୋନିଆ ନିଜ ନିଷ୍ପତିର ପୁନଃବିଚାର କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବରିଷ୍ଠ ନେତା ଏ.କେ ଆଂଟେନୀ ଅନୁରୋଧ କରିଥିବା ଜଣା ପଡିଛି ।
ସେପଟେ ଦଳର ୨୩ ନେତା ଦେଇଥିବା ଚିଠିର ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି, ଯେତେବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦଳୀୟ କନ୍ଦଳ ଲାଗିରହିଥିଲା ଓ ସୋନିଆ ଗାନ୍ଧୀ ଅସୁସ୍ଥ ଥିଲେ ସେତେବେଳେ ଚିଠି ଲେଖାଯିବାର କ’ଣ ଦରକାର ଥିଲା । ଏହି ଚିଠି ପାଇଁ ସେ ଦୁଃଖିତ ବୋଲି କହିଥିଲେ ରାହୁଲ ଗାନ୍ଧି । ଏହା ସହ ଚିଠି ଲେଖିଥିବା ୨୩ଜଣ ନେତା ବିଜେପି ସହ ମିଶି ଏଭଳି କରିଥିବା ଅଭିଯୋଗ ଆଣିଥିଲେ ରାହୁଲ | ରାହୁଲ ଗାନ୍ଧୀ ଅସନ୍ତୁଷ୍ଟ ନେତା ଦଳ ବିରୋଧରେ ବିଜେପି ସହ ମିଶିଥିବା ଅଭିଯୋଗ କରିବା ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଅଭିଯୋଗ ସତ୍ୟ ପ୍ରମାଣ ହେଲେ ସେ ଇସ୍ତଫା ଦେବେ।
/sambad/media/post_attachments/94bdca64368fd72a37095339e82afa7aeaaa27c0996d582c4b31093825e8fe2a.gif)
ତେବେ ସବୁ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସୋନଆ ଗାନ୍ଧିଙ୍କୁ ସଭାପତି ପଦରେ ରହିବା ପାଇଁ ଅନୁରୋଧ କରିଛନ୍ତି । ସେହିଭଳି ଏ.କେ ଆଂଟେନୀ ମଧ୍ୟ ରାହୁଲ ଗାନ୍ଧିଙ୍କୁ ସଭାପତି ନହେବା ପାଇଁ ନେଇଥିବା ନିଷ୍ପତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ।