ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩କୁ ଆଜି କଡ଼ା ବାର୍ତ୍ତା ଦେଇଛନ୍ତି। ଆଜି ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକରେ ଅଧ୍ୟକ୍ଷତା କରି ସୋନିଆ କହିଛନ୍ତି, କଂଗ୍ରେସର ଫୁଲ୍‌ ଟାଇମ୍‌ (ପୂର୍ଣ୍ଣକାଳୀନ) ସଭାପତି ପ୍ରସଙ୍ଗକୁ ନେଇ କିଛି ଦ୍ବନ୍ଦ୍ବ ସୃଷ୍ଟି କରାଯାଇଛି। ‘ଯଦି ଆପଣମାନେ ମତେ ଏହା କହିବା ପାଇଁ ଅନୁମତି ଦେବେ ତା’ହେଲେ ମୁଁ କହୁଛି ଯେ ମୁ ହିଁ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି। ଏହି ପ୍ରସଙ୍ଗରେ ଆପଣମାନେ ମିଡିଆ ମାଧ୍ୟମରେ ମୋ ସହିତ ଆଲୋଚନା କରିବା ଅନାବଶ୍ୟକ। ଯାହା କହିବାର ଅଛି ସମ୍ମୁଖରେ ସ୍ପଷ୍ଟ ଭାବେ କହିବା ଆବଶ୍ୟକ’ ବୋଲି ସୋନିଆ ଅସନ୍ତୁଷ୍ଟ ନେତାମାନଙ୍କୁ ରୋକ୍‌ଠୋକ ଶୁଣାଇ ଦେଇଛନ୍ତି। ସେ କହିଛନ୍ତି ଯେ ଦଳରେ ସ୍ପଷ୍ଟ ଓ ସ୍ବଚ୍ଛ ନୀତିରେ ସବୁକିଛି ଆଲୋଚନା ହେବା ଆବଶ୍ୟକ।

Advertisment

ଏହି ପ୍ରକୋଷ୍ଠ ବାହାରକୁ ଯେଉଁ ବାର୍ତ୍ତା ଯିବ ତାହା ସିଡ୍ଲୁସିର ସାମୂହିକ ନିଷ୍ପତ୍ତି ହେବା ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ଏହି ବୟାନ ଉପରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯେ ଆମେ ସୋନିଆଜୀଙ୍କ ଉପରେ ପୂର୍ଣ୍ଣ ଭରସା ରଖିଛୁ ଏବଂ କେହି ବି ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଉ ନହାନ୍ତି। ସିଡବ୍ଲୁସି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଭୂପେଶ ବାଘେଲ, ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି, ଦଳର ବରିଷ୍ଠ ନେତା ପି ଚିଦମ୍ବରମଙ୍କ ସମେତ ପ୍ରାୟ ୫୩ ଜଣ ନେତା ଉପସ୍ଥିତ ଥିଲେ। ବୈଠକରେ ଦେଶର ବର୍ତ୍ତମାନ ରଜନୈତିକ ସ୍ଥିତି, ଆଗାମୀ ବିଧାନସଭା ନିର୍ବାଚନ ଓ କଂଗ୍ରେସର ସାଂଗଠନିକ ନିର୍ବାଚନ ଆଦି ପ୍ରସଙ୍ଗରେ ଆଲୋଚନା ହୋଲା।