ଏମ୍ସ ପରେ ଆଇସିଏମଆର  : ଗୋଟିଏ ଦିନରେ ୬ ହଜାର ଥର ସାଇବର ଆକ୍ରମଣ ଉଦ୍ୟମ

ନୂଆଦିଲ୍ଲୀ : ଯାହା ଜଣାପଡ଼ୁଛି ଭାରତୀୟ ସ୍ବାସ୍ଥ୍ୟବ୍ୟବସ୍ଥାକୁ ପଙ୍ଗୁ କରିଦେବାକୁ ଏକ ଯୋଜନାବଦ୍ଧ ଉପାୟରେ କାମ କରୁଛନ୍ତି ଚୀନର ସାଇବର ସେନା । ଭାରତର ସବୁଠାରୁ ବଡ଼ ଡାକ୍ତରଖାନା ଦିଲ୍ଲୀ ଏମ୍ସ ଉପରେ ସାଇବର ଆକ୍ରମଣ କରି ତାହାକୁ ଗତ ଦୁଇ ସପ୍ତାହ ହେଲା ଏକରକମ ଅଚଳ କରିଦେଇଥିବା ଚାଇନିଜ୍ ହ୍ୟାକରମାନେ ଏବେ ଭାରତ ସରକାରଙ୍କ ସର୍ବୋଚ୍ଚ ଡାକ୍ତରୀ ଗବେଷଣା ସଂସ୍ଥା ଆଇସିଏମଆର ଉପରେ ସାଇବର ଆକ୍ରମଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆଇସିଏମଆରର ସର୍ଭରରେ ଅନୁପ୍ରବେଶ କରିବାକୁ ଚୀନର ହ୍ୟାକରମାନେ ଉଦ୍ୟମ ଚଳାଇଛନ୍ତି । ଗତ ନଭେମ୍ବର ୩୦ ତାରିଖରେ ହଂକଂର କେତେକ ହ୍ୟାକର ଆଇସିଏମଆର ସର୍ଭରକୁ ହ୍ୟାକ୍ କରିବାକୁ ପ୍ରାୟ ୬ ହଜାର ଥର ଉଦ୍ୟମ କରିଥିଲେ । କିନ୍ତୁ ଆଶ୍ବସ୍ତିର କଥା ହେଉଛି ଆଇସିଏମଆର ସର୍ଭରର ଫାୟାରଓ୍ବାଲ ଏହାକୁ ରୋକିବାକୁ ସକ୍ଷମ ହୋଇଥିଲା ବୋଲି ନ୍ୟାସନାଲ ଇନଫରମାଟିକ୍ସ ସେଣ୍ଟର ପକ୍ଷରୁ କୁହାଯାଇଛି ।

ଆଇସିଏମଆର ପାଖର ଭାରତର ଗୁରୁତ୍ବପୂର୍ଣ୍ଣ ଡାକ୍ତରୀ ଗବେଷଣା, ଟିକା ଓ ଔଷଧ ଗବେଷଣା, ରୋଗୀଙ୍କ ସଂପର୍କିତ ତଥ୍ୟ ଥାଏ । ଯଦି ହ୍ୟାକରମାନେ ନିଜ ଉଦ୍ୟମରେ ସଫଳ ହୋଇଥାନ୍ତେ ତାହା ଏକ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଥାନ୍ତା ।

ଗତ ନଭେମ୍ବର ୨୩ରେ ଏମ୍ସ ଉପରେ ହୋଇଥିବା ସାଇବର ଆକ୍ରମଣ ପରେ ଏମ୍ସର ସର୍ଭର ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ । ହ୍ୟାକରମାନେ ଏମ୍ସ ସର୍ଭରରେ ଥିବା ଲକ୍ଷ ଲକ୍ଷ ରୋଗୀଙ୍କ ତଥ୍ୟ ଚୋରାଇ ନେଇଥିବା ଆଶଙ୍କା କରାଯାଉଛି ।

 

ସମ୍ବନ୍ଧିତ ଖବର