ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ କମ୍ପାନି ‘ଏକ୍ସ’ (ପୂର୍ବରୁ ଟ୍ବିଟର) ଉପରେ ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି। ଏଥିରେ ଅନେକ ଦଳ ଓ ଦେଶ ସଂପୃକ୍ତ ଥିବା ମସ୍କ ସନ୍ଦେହ କରୁଛନ୍ତି। ସେ ଜଣାଇଛନ୍ତି ଯେ ‘ଏକ୍ସ’ ଉପରେ ପ୍ରତିଦିନ ସାଇବର ଆକ୍ରମଣ ହେଉଛି। ଏଥର କିନ୍ତୁ ଅଧିକ ସମ୍ବଳ ବ୍ୟବହାର କରାଯାଇଛି। କେଉଁଠାରୁ ଆକ୍ରମଣ ହେଉଛି, ତାହା ଜାଣିବା ଲାଗି ଉଦ୍ୟମ ଜାରି ରହିଥିବା ମସ୍କ ଜଣାଇଛନ୍ତି।
‘ଏକ୍ସ’ ଉପରେ ଏଭଳି ଏକ ସମୟରେ ସାଇବର୍ ଆକ୍ରମଣ ହୋଇଛି, ଯେତେବେଳେ ମସ୍କ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଳିତ ଭାବେ ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବା ଏବଂ କେବଳ ଆମେରିକା ସ୍ବାର୍ଥ ଜଗିବା ଲାଗି କଠୋର କାର୍ଯ୍ୟାନୁଷ୍ଠାନ ଭଳି ନିଷ୍ପତ୍ତି ନେଉଛନ୍ତି। ତେଣୁ ମସ୍କଙ୍କ ବିରୋଧରେ ଶତ୍ରୁ ସୃଷ୍ଟି ହେବା ସ୍ବାଭାବିକ। ତେବେ ‘ଏକ୍ସ’ ଉପରେ ସାଇବର ଆକ୍ରମଣ କରିଥିବା ନେଇ କୌଣସି ଦଳ କିମ୍ବା ଦେଶ ଏପର୍ଯ୍ୟନ୍ତ ଦାବି କରିନାହାନ୍ତି।
ସୋମବାର ‘ଏକ୍ସ’ ବିଶ୍ବବ୍ୟାପୀ ବାରମ୍ବାର ଡାଉନ୍ ରହିଥିଲା। ଲୋକମାନେ କମ୍ପାନିର ୱେବସାଇଟ୍ କିମ୍ବା ଆପ୍କୁ ବ୍ୟବହାର କରିପାରିନଥିଲେ। ପ୍ରଥମେ ଅପରାହ୍ନ ୩ଟା ୩୦ ମିନିଟ୍ରେ ଏକ ବିଭ୍ରାଟ ଘଟିଥିଲା। ସେଥିରେ ସାରା ବିଶ୍ବର ଲୋକ ପ୍ରଭାବିତ ହୋଇଥିଲେ। କେହି କିଛି ପୋଷ୍ଟ କରିପାରିନଥିଲେ। ସନ୍ଧ୍ୟା ୭ଟା ୩୦ ମିନିଟ୍ରେ ‘ଏକ୍ସ’ ପୁଣି ଥରେ ଡାଉନ୍ ହୋଇଥିଲା। ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା। ରାତି ୯ଟା ପରେ ଲମ୍ବା ସମୟର ବିଭ୍ରାଟ ଦେଖାଦେଇଥିଲା। ‘ଏକ୍ସ’ ର ୱେବସାଇଟ୍ କିମ୍ବା ଆପ୍ ଖୋଲିବା ସମ୍ଭବ ହୋଇନଥିଲା। ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଏହା କାମ କରୁନଥିଲା। ଭାରତରେ ଅପରାହ୍ନରେ ଘଟିଥିବା ବିଭ୍ରାଟ ସମ୍ପର୍କରେ ପ୍ରାୟ ୨୨୦୦ ଜଣ ଏବଂ ସନ୍ଧ୍ୟାର ବିଭ୍ରାଟ ସମ୍ପର୍କରେ ୧୫୦୦ ଜଣ ସୂଚନା ଦେଇଥିଲେ। ଅପରାହ୍ନରେ ଆମେରିକାରେ ୨୧ ହଜାର, ବ୍ରିଟେନ୍ରେ ୧୦,୮୦୦ରୁ ଅଧିକ ଲୋକ ‘ଏକ୍ସ’ ବିଭ୍ରାଟର ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/10/0Y6IxU2FT1WjRrnfsYKx.jpeg)