ଭାରତ ଉପରେ ସାଇବର ଆକ୍ରମଣ, ନୂପୁର ଶର୍ମାଙ୍କ ଠିକଣା ଲିକ୍ କଲେ ହ୍ୟାକର

ନୂଆଦିଲ୍ଲୀ : ନୂପୁର ଶର୍ମା ମାମଲାକୁ ନେଇ ଭାରତ ଉପରେ ସାଇବର ଆକ୍ରମଣ ଜାରି ରଖିଛନ୍ତି ମାଲେସିଆ, ଇଣ୍ଡୋନେସିଆ ପ୍ରଭୃତି କେତେକ ଇସ୍ଲାମିକ ଦେଶର ହ୍ୟାକର । ଏହି ସାଇବର ଆକ୍ରମଣ ପଛରେ ପାକିସ୍ତାନୀ ହ୍ୟାକରଙ୍କ ମଧ୍ୟ ହାତ ଥିବା ସଂଦେହ କରାଯାଉଛି ।

ଅହମଦାବାଦ ପୁଲିସର ସାଇବର ସେଲ ପକ୍ଷରୁ କୁହାଯାଇଛି ଯେ ଡ୍ରାଗନ ଫୋର୍ସ ମାଲେସିଆ ଓ ହାକ୍ଟିଭିଷ୍ଟ ଇଣ୍ଡୋନେସିଆ ନାମକ ହ୍ୟାକର ଗୋଷ୍ଠୀ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ସମଗ୍ର ବିଶ୍ବର ମୁସଲିମ ହ୍ୟାକରମାନେ ଭାରତ ଉପରେ ସାଇବର ଆକ୍ରମଣ କରିବାକୁ ସେମାନେ ଆହ୍ବାନ ଦେଇଛନ୍ତି । ଏସବୁ ହ୍ୟାକରମାନେ ପ୍ରାୟ ୨ ହଜାର ଭାରତୀୟ ଓ୍ବେବସାଇଟକୁ ହ୍ୟାକ୍ କରିଛନ୍ତି । ସେସବୁ ସାଇଟ ମଧ୍ୟରେ ରହିଛି ଥାଣେ ପୁଲିସ, ଆନ୍ଧ୍ରପ୍ରଦେଶ ପୁଲିସର ଓ୍ବେବସାଇଟ ଓ ଆସାମର ଏକ ନ୍ୟୁଜ ଚ୍ୟାନେଲରେ ଓ୍ବେବସାଇଟ । ଏହି ନ୍ୟୁଜଚ୍ୟାନେଲରେ ସମ୍ବାଦ ପରିବେଷଣ କରାଯାଉଥିବାବେଳେ ଟିଭି ପରଦା ହଠାତ କଳା ହୋଇଗଲା ଓ ସେଥିରେ ପାକିସ୍ତାନର ପତାକା ଦେଖାଗଲା । ସେଥିରେ ଲେଖାଥିଲା ପ୍ରଫେଟଙ୍କୁ ସମ୍ମାନ କର । ତଳେ ଲେଖାଥିଲା ଟିମ ପିକେ ଦ୍ବାରା ହ୍ୟାକ ହୋଇଛି । ହ୍ୟାକରମାନେ ମଧ୍ୟ ଅନଲାଇନରେ ନୂପୁର ଶର୍ମାଙ୍କ ଘର ଠିକଣା, ଆଧାର କାର୍ଡ ଓ ପ୍ୟାନ କାର୍ଡ ତଥ୍ୟ ଲିକ କରିଦେଇଛନ୍ତି ।

ଏସବୁ ହ୍ୟାକରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁଜୁରାଟ ପୁଲିସ ମାଲେସିଆ ଓ ଇଣ୍ଡୋନେସିଆ ପୁଲିସକୁ ପତ୍ର ଲେଖିଛି । ଏହାଛଡ଼ା ଏସବୁ ହ୍ୟାକରଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି ପାଇଁ ଇଣ୍ଟରପୋଲକୁ ଅନୁରୋଧ କରାଯାଇଛି ।

 

 

ସମ୍ବନ୍ଧିତ ଖବର