ଅଏଲ ଇଣ୍ଡିଆରୁ ୫୭ କୋଟି ଟଙ୍କାର ଦାଦାବଟି ଦାବି କଲେ ସାଇବର ଆକ୍ରମଣକାରୀ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ତୈଳ କମ୍ପାନି ଅଏଲ ଇଣ୍ଡିଆ ସାଇବର ଆକ୍ରମଣର ଶିକାର ହେବା ପରେ ଆସାମରେ ଏହାର ଉତ୍ପାଦନ ବ୍ୟାହତ ହୋଇଛି। ଏ ପରିସ୍ଥିତିରେ ସାଇବର ଆକ୍ରମଣର ଶିକାର ହୋଇଥିବା ଅଏଲ ଇଣ୍ଡିଆ ଠାରୁ ସାଇବର ଆକ୍ରମଣକାରୀମାନେ ୭୫,୦୦,୦୦୦ ଆମେରିକୀୟ ଡଲାର (୫୭ କୋଟି ରୁ ଅଧିକ) ଦାବି କରିଛନ୍ତି ବୋଲି କମ୍ପାନିର ଅଧିକାରୀମାନେ ବୁଧବାର ଦିନ କହିଛନ୍ତି। ଏ ଘଟଣା ସଂପର୍କରେ କମ୍ପାନି ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ଅଏଲ ଇଣ୍ଡିଆ ସାଇବର ଆକ୍ରମଣର ଶିକାର ହେବାପରେ ଆଇଟି ବ୍ୟବସ୍ଥା ମାଧ୍ୟମରେ ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଏଥିପାଇଁ ଉଭୟ କମ୍ପାନି ଓ ସରକାରଙ୍କ ରାଜକୋଷ ବିପୁଳ ଆର୍ଥିକ କ୍ଷତି ସହିଛନ୍ତି ବୋଲି କମ୍ପାନିର ମ୍ୟାନେଜର (ସୁରକ୍ଷା) ସଚିନ କୁମାର କହିଛନ୍ତି।

ସେ କହିଛନ୍ତି, କମ୍ପାନିର ଜିଓଲୋଜିକାଲ୍‌ ଏବଂ ରିଜର୍ଭର ବିଭାଗର ଅନ୍ୟତମ ୱାର୍କ ଷ୍ଟେସନରେ ଏପ୍ରିଲ ୧୦ରେ ଏହି ସାଇବର ଆକ୍ରମଣ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ିଲା ଯେ ଅଏଲ ଇଣ୍ଡିଆର ନେଟୱାର୍କ, ସର୍ଭର ସମେତ ଗ୍ରାହକଙ୍କ ପିସି ନେଟୱାର୍କ ସାଇବର ଆକ୍ରମଣ ପରେ ବିଭ୍ରାଟର ସମ୍ମୁଖୀନ ହୋଇଛି। ଏହାପରେ ସାଇବର ଆକ୍ରମଣକାରୀ ସଂକ୍ରମିତ ପିସିର ଏକ ନୋଟ୍‌ ମାଧ୍ୟମରେ ଏଥିରୁ ମୁକ୍ତି ପାଇଁ ୭୫,୦୦,୦୦୦ ଡଲାର ଦାବି କରିଛନ୍ତି ବୋଲି କୁମାର କହିଛନ୍ତି। ଏହି ସାଇବର ଆକ୍ରମଣ ପରେ କମ୍ପାନିର ସର୍ଭର, ନେଟୱାର୍କ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ସେବା ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

Image Courtesy: News Nation

ଦିିବ୍ରୁଗଡ ଜିଲ୍ଲାରେ ଅବସ୍ଥାପିତ ଆସାମ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେମାନେ ଆଇପିସି ଏବଂ ଆଇଟି ଆକ୍ଟର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
କମ୍ପାନିର ମୁଖପାତ୍ର ତ୍ରିଦିଭ ହଜାରିକା ଗଣମାଧ୍ୟମକୁ କହିଛନ୍ତି ଯେ କମ୍ପାନି ପର୍ଯ୍ୟାୟକ୍ରମେ ସିଷ୍ଟମ ମରାମତି କାର୍ଯ୍ୟ କରୁଛି ଏବଂ ଏହା ସମୟ ନେବ। ଆମର ଅନଲାଇନ୍‌ ସିଷ୍ଟମ୍‌ ହ୍ରାସ ପାଇଛି ଏବଂ ଆମେ ଅଫ୍‌ ଲାଇନ୍‌ରେ କାମ କରୁଛୁ। ଡ୍ରିଲିଂ ଏବଂ ଉତ୍ପାଦନ କାର୍ଯ୍ୟ ପ୍ରଭାବିତ ହୋଇନାହିଁ।

ଅନ୍ୟପକ୍ଷରେ, ଗୁଆହାଟୀର ନାରେଙ୍ଗିଠାରେ ଥିବା ଅଏଲ ଇଣ୍ଡିଆ ପାଇପ୍‌ ଲାଇନ୍‌ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେମାନେ ସେମାନଙ୍କର ସମଗ୍ର ନେଟୱାର୍କ ବନ୍ଦ କରିଦେଇଛନ୍ତି, ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ସିଷ୍ଟମ୍‌ କୌଣସି ଆକ୍ରମଣର ସମ୍ମୁଖୀନ ହୋଇନାହିଁ।

ସମ୍ବନ୍ଧିତ ଖବର