ନୂଆଦିଲ୍ଲୀ: ୨୦୨୩ରେ ଭାରତରେ ୨୭,୭୨୧ଟି ହତ୍ୟା ମାମଲା ରେକର୍ଡ କରାଯାଇଛି। ୨୦୨୨ ତୁଳନାରେ ଏହା ୨.୮% କମ୍। କିନ୍ତୁ ଉଦ୍‌ବେଗଜନକ ବିଷୟ ହେଲା ଦେଶରେ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ବିରୋଧରେ ଅପରାଧ ଏବଂ ସାଇବର ଅପରାଧ ବଢ଼ିଛି। ଏସ୍‌ଟି ଲୋକଙ୍କ ବିରୋଧ‌ରେ ଅପରାଧ ୨୮% ବୃଦ୍ଧି ପାଇଛି। ୨୦୨୩ରେ ଏସ୍‌ଟି ଲୋକଙ୍କ ବିରୋଧରେ ୧୨,୯୬୦ଟି ଅପରାଧ ହୋଇଛି, ଯାହା ୨୦୨୨ରେ ୧୦,୦୬୪ରେ ରହିଥିଲା। ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ୨୦୨୩ରୁ ଏହା ଜଣାଯାଇଛି। ରିପୋର୍ଟରୁ ଜଣାଯାଇଛି ଯେ ୨୦୨୩ରେ ଦେଶରେ ହତ୍ୟା ୨.୮ ପ୍ରତିଶତ କମିଛି। ୨୦୨୨ରେ ୨୮,୫୨୨ଟି ହତ୍ୟା ହୋଇଥିବାବେଳେ ୨୦୨୩ରେ ୨୭,୭୨୧ଟି ହତ୍ୟା ହୋଇଛି। ଏହାକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଦିନକୁ ଦେଶରେ ହାରାହାରି ପ୍ରାୟ ୭୬ (୭୫.୯୪)ଟି ହତ୍ୟା ହୋଇଛି। ହତ୍ୟାର ସବୁଠୁ ବଡ଼ କାରଣ ବିବାଦ ରହିଛି। ବିବାଦ ପାଇଁ ୯୨୦୯ଟି ହତ୍ୟା ହୋଇଛି। ବ୍ୟକ୍ତିଗତ ପ୍ରତି‌ଶୋଧ ବା ଶତ୍ରୁତା ପାଇଁ ୩୪୫୮ଟି ଏବଂ ଲାଭ ପାଇଁ ୧୮୯୦ଟି ହତ୍ୟା ହୋଇଛି। ୨୦୨୩ରେ ସାଇବର ଅପରାଧ ୩୧.୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ୬୫,୮୯୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୮୬,୪୨୦ରେ ପହଞ୍ଚିଛି। ୨୦୨୩ରେ, ୬୮.୯% ସାଇବର ଅପରାଧ ନାଗରିକଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ ଥିଲା, ଯାହା ସମୁଦାୟ ୮୬,୪୨୦ ମାମଲା ମଧ୍ୟରୁ ପ୍ରାୟ ୫୯,୫୨୬ଟି ଥିଲା।

Advertisment

ଦିନକୁ ୭୬ ହତ୍ୟା
ମହିଳାଙ୍କ ବିରୋଧରେ ୪,୪୮,୨୧୧ ଅପରାଧ

ଏହା ପଛକୁ ୪,୧୯୯ଟି ଯୌନ ଶୋଷଣ (୪.୯%) ମାମଲା ଏବଂ ୩,୩୨୬ଟି (୩.୮%) ଚୋରା ଚାଲାଣ  ମାମଲା ରହିଛି। ସମଗ୍ର ଦେଶରେ ୨୦୨୩ ମସିହାରେ ୬୨,୪୧,୫୬୯ଟି ଅପରାଧ ରିପୋର୍ଟ ହୋଇଛି। ଏଥିରୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅପରାଧ ଅନୁଯାୟୀ ୩୭,୬୩,୧୦୨ ଏବଂ ସ୍ୱତନ୍ତ୍ର ଓ ସ୍ଥାନୀୟ ଆଇନ (ଏସ୍‌ଏଲ୍‌ଏଲ୍‌) ଅନୁଯାୟୀ ୨୪,୭୮,୪୬୭ଟି ମାମଲା ହୋଇଛି। ଏହା ୨୦୨୨ ମସିହାର ୫୮,୨୪,୯୪୬ ମାମଲା ତୁଳନାରେ ୨୦୨୩ ମସିହାରେ ୪,୧୬,୬୨୩ ମାମଲା ସହ ୭.୨% ବୃଦ୍ଧିକୁ ଦର୍ଶାଉଛି। ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ପଞ୍ଜୀକୃତ ଅପରାଧ ହାର ୨୦୨୨ରେ ୪୨୨.୨ ଥିଲା। ୨୦୨୩ରେ ଏହା ୪୪୮.୩କୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ମହିଳାଙ୍କ ବିରୋଧରେ ଅପରାଧ ମାମଲା ୨୦୨୨ରେ ୪.୪୫ ଲକ୍ଷ ଥିଲା। ୨୦୨୩ରେ ଏଥିରେ ୦.୪ ପ୍ରତିଶତ ବୃଦ୍ଧି ପାଇ ୪,୪୮,୨୧୧ ହୋଇଛି। ଆଇପିସି ଅଧୀନରେ ମହିଳାଙ୍କ ବିରୋଧରେ ଅପରାଧ ଅଧୀନରେ ଅଧିକାଂଶ ମାମଲା ‘ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିଷ୍ଠୁରତା’ (୧,୩୩,୬୭୬ ମାମଲା, ୨୯.୮%) ଏବଂ ‘ମହିଳା ଅପହରଣ’ (୮୮,୬୦୫ ମାମଲା, ୧୯.୮%) ଅଧୀନରେ ପଞ୍ଜୀକୃତ ହୋଇଛି। ‘ମହିଳାଙ୍କ ପ୍ରତି ଆକ୍ରମଣ’ (୮୩,୮୯୧ ମାମଲା, ୧୮.୭୧%) ଏବଂ ‘ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଅଧିନିୟମ (ପୋକ୍‌ସୋ)’ (୬୬,୨୩୨ ମାମଲା, ୧୪.୮%) ଅଧୀନରେ ପଞ୍ଜୀକୃତ ହୋଇଛି।

ଶୀର୍ଷ ୧୦ ରାଜ୍ୟରେ ଓଡ଼ିଶା

ଭୁବନେଶ୍ବର: ଅପରାଧ ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ଦେଶର ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶାର ନାଁ ରହିଛି। ମହିଳା ଓ ଶିଶୁ ବିରୋଧୀ ଅପରାଧଠାରୁ ଆରମ୍ଭ କରି ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ନିର୍ଯାତନା, ସାଇବର ଅପରାଧ ଆଦି ସବୁ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଉଦ୍‌ବେଗଜନକ। ଜାତୀୟ ହାରଠାରୁ ବହୁ ଆଗରେ ରହିଛି ରାଜ୍ୟର ଅପରାଧ ହାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ-୨୦୨୩ରେ ଓଡ଼ିଶାର ଅପରାଧ ସ୍ଥିତିକୁ ନେଇ ଏହି ବିକଳ ଚିତ୍ର ପଦାକୁ ଆସିଛି। ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ଅନୁସୂଚିତ ଜନଜାତିଙ୍କ ବିରୋଧରେ ହୋଇଥିବା ମାମଲାରେ ୪ର୍ଥ ଓ ଅନୁସୂଚିତ ଜାତିଙ୍କ ବିରୋଧୀ ମାମଲାରେ ଦେଶରେ ୫ମ ସ୍ଥାନରେ ରହିଛି। ସେହିପରି ପୋକ୍‌ସୋ ମାମଲାରେ 
୪ର୍ଥ ଏବଂ ଶିଶୁମାନଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ୬ଷ୍ଠ ସ୍ଥାନରେ ରହିଛି। ସାଇବର ଅପରାଧ କ୍ଷେତ୍ରରେ ମଧ୍ୟ ୧୦ମ ସ୍ଥାନରେ ରହିଛି। ରାଜ୍ୟରେ ଅପରାଧ ପଞ୍ଜୀକରଣ ଓ ଚାର୍ଜସିଟ୍ ଦାଖଲ ହାର ସନ୍ତୋଷଜନକ ଥିବା ସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ନୈରାଶ୍ୟଜନକ। ୨୦୨୩ ମସିହାରେ ଚାର୍ଜସିଟ୍ ଦାଖଲ ହାର ୮୫% ରୁ ଅଧିକ ସତ୍ତ୍ବେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧.୬% ରହିଛି। ମହିଳାଙ୍କ ବିରୋଧରେ ଅପରାଧରେ ୯.୩%, ଶିଶୁଙ୍କ କ୍ଷେତ୍ରରେ ୮.୧% ଏବଂ ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ୬%ରୁ କମ୍ ଦୋଷୀ ସାବ୍ୟସ୍ତ ହାର ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। 
ଗଞ୍ଜାମ, କଟକ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ପରି ଜିଲ୍ଲାଗୁଡ଼ିକରେ ଅଧିକ ଆଇପିସି ମାମଲା ପଞ୍ଜୀକୃତ ହୋଇଛି। ୨୦୦୦ ମସିହାରେ ୪୭,୮୧୨ ଆଇପିସି ମାମଲା ରେକର୍ଡ ହୋଇଥିବାବେଳେ ୨୦୨୩ରେ ଏହା ୧,୩୨,୭୧୩କୁ ବୃଦ୍ଧି ପାଇଛି, ଯାହାକି ୨୩ ବର୍ଷ ମଧ୍ୟରେ ୧୭୭% ବୃଦ୍ଧି ଘଟିଛି। ଅପରାଧ ହାର ପ୍ରତି ଲକ୍ଷ ଜନସଂଖ୍ୟାରେ ୧୪୨.୩ରୁ ୨୮୮.୬କୁ ବୃଦ୍ଧି ପାଇଛି, ଯାହା ଜାତୀୟ ହାର ୨୪୨.୪ଠାରୁ ଯଥେଷ୍ଟ ଅଧିକ।
ମହିଳା ବିରୋଧୀ ଅପରାଧ ୩୪୩% 
ମହିଳା ବିରୋଧୀ ଅପରାଧରେ ଜାତୀୟ ସ୍ତରରେ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୨୦୨୩ ମସିହାରେ ପ୍ରତି ଏକଲକ୍ଷ ମହିଳା ଜନସଂଖ୍ୟାରେ ଅପରାଧ ହାର ୯୦.୨ରେ ପହଞ୍ଚିଛି, ଯାହାକି ଭାରତରେ ସର୍ବାଧିକ। ୨୦୦୦ ମସିହାରେ ୮୨୧୪ ମାମଲା ରୁଜୁ ହୋଇଥିବା ବେଳେ ୨୦୨୩ରେ ୩୬୪୩୨ ମାମଲା ରୁଜୁ କରାଯାଇଛି। ଏହା ୩୪୩%କୁ ବୃଦ୍ଧି ପାଇଛି। ୨୦୧୫ ମସିହାରେ ୨୦୯୬୯ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୦ରେ ୩୧୩୫୨କୁ ବୃଦ୍ଧି ପାଇଛି ଏବଂ ୨୦୨୩ରେ ଏହା ୩୬୪୩୨ରେ ପହଞ୍ଚିଛି। ଯାହାକି ୮ ବର୍ଷ ମଧ୍ୟରେ ୭୪% ବୃଦ୍ଧି ପାଇଛି। କେବଳ ୨୦୨୨ ତୁଳନାରେ ୨୦୨୩ରେ ଓଡ଼ିଶାରେ ୨.୬୩ ପ୍ରତିଶତ ମହିଳା ବିରୋଧୀ ଅପରାଧ ମାମଲା ବୃଦ୍ଧି ପାଇଛି। ୨୦୨୩ ମସିହାରେ ଅପହରଣ ନେଇ ୫୨୧୩ଟି ମାମଲା ପଞ୍ଜୀକୃତ ହୋଇଛି। ଯାହାକି ୨୦୨୨ର ୪୯୮୨ ମାମଲା ତୁଳନାରେ ୪.୬% ଅଧିକ। ଏହି ଅପହରଣ ମାମଲାରେ ୨୯୧୪ ଜଣ ମହିଳା ଓ ବାଳିକା ଏବଂ ୧୮୭୩ ଜଣ ଶିଶୁ ଶିକାର ହୋଇଛନ୍ତି। ଏହି ମାମଲାଗୁଡ଼ିକରେ ୮୬.୪% ଚାର୍ଜସିଟ୍ ଦାଖଲ ସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୭.୮% ରହିଛି। 
ସ୍ୱାମୀ ଓ ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତନା ମାମଲାରେ ଓଡ଼ିଶା ଦ୍ୱିତୀୟ
୨୦୨୩ ମସିହାରେ ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ମହିଳା ନିର୍ଯାତନା ମାମଲାରେ ଓଡ଼ିଶା ୧୭,୫୨୯ଟି ମାମଲା ରୁଜୁ ହୋଇଛି। ଏହି କ୍ଷେତ୍ରରେ ଉତ୍ତରପ୍ରଦେଶ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ମହିଳାଙ୍କ ମର୍ଯ୍ୟାଦା ହାନି ଓ ଆକ୍ରମଣ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଏ ନେଇ ୮୩୧୩ ମାମଲା ରୁଜୁ ହୋଇଛି। ବଳାତ୍କାର ମାମଲାରେ ରାଜ୍ୟରେ ୩୭୫୩ କେସ୍‌ ରୁଜୁ ହୋଇଥିବା ବେଳେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଯୌତୁକଜନିତ ମୃତ୍ୟୁ ନେଇ ୨୦୨୩ ମସିହାରେ ୩୬୭ଟି ମାମଲା ରୁଜୁ ହୋଇଥିବା ବେଳେ ଓଡ଼ିଶା ଏହି କ୍ଷେତ୍ରରେ ୫ମ ସ୍ଥାନରେ ରହିଛି। ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ୮୫.୨% ଚାର୍ଜସିଟ୍ ଦାଖଲ ସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୯.୩% ରହିଛି।
ଶିଶୁଙ୍କ ବିରୋଧରେ ଅପରାଧ ଉଦ୍‌ବେଗଜନକ
୨୦୨୩ ମସିହାରେ ଶିଶୁଙ୍କ ବିରୋଧରେ ଅପରାଧକୁ ନେଇ ଓଡ଼ିଶାରେ ସର୍ବାଧିକ ୭୪୦୨ ମାମଲା ରୁଜୁ କରା‌ଯାଇଥିବା ବେଳେ ଜାତୀୟସ୍ତରରେ ୬ଷ୍ଠ ସ୍ଥାନରେ ରହିଛି। ଏଥିରୁ ୫୨୫୪ ପୋକ୍‌ସୋ ମାମଲା ରହିଛି। ଯାହାକି ଶିଶୁଙ୍କ ଯୌନ ଶୋଷଣ ମାମଲାରେ ଓଡ଼ିଶାକୁ ୪ର୍ଥ ସ୍ଥାନରେ ରଖିଛି। ୨୦୦୦ ମସିହାରେ ରାଜ୍ୟରେ ପ୍ରାୟ ୨୧୦୦ ଶିଶୁ-ସମ୍ବନ୍ଧୀୟ ମାମଲା ପଞ୍ଜୀକୃତ ହୋଇଥିଲାବେଳେ ଦୁଇ ଦଶନ୍ଧି ମଧ୍ୟରେ ଏହି ପରିମାଣ ୨୫୨% ବୃଦ୍ଧି ପାଇଛି। ସେହିପରି ଶିଶୁଙ୍କ ବିରୋଧରେ ଅପରାଧ ମାମଲାରେ ଚାର୍ଜସିଟ୍ ଦାଖଲ ହାର ୮୪.୬% ଥିବାବେଳେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୮.୧% ରହିଛି। ବିଶେଷକରି ରାୟଗଡ଼ା, ଗଞ୍ଜାମ, ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଶିଶୁ ଶୋଷଣ ଏବଂ ନିର୍ଯାତନା ମାମଲା ଅଧିକ ରହିଛି।
ବଢ଼ିଛି ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର
୨୦୨୩ ମସିହାରେ ଓଡ଼ିଶାରେ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ବିରୋଧରେ ୩୮୧୨ ମାମଲା ରୁଜୁ ହୋଇଛି। ଯାହାକି ଜାତୀୟସ୍ତରରେ ଚତୁର୍ଥ। ସେହିପରି ଅନୁସୂଚିତ ଜାତି (ଏସ୍‌ସି)ଙ୍କ ବିରୋଧରେ ଅପରାଧ ନେଇ ୨୪୮୭ଟି ମାମଲା ରୁଜୁ ସହ ଓଡ଼ିଶା ଦେଶରେ ୫ମ ସ୍ଥାନରେ ରହିଛି। ୨୦୦୦ ମସିହାରେ ରାଜ୍ୟରେ ପ୍ରାୟ ୧୦୧୨ ଏସ୍‌ସି ମାମଲା ଏବଂ ୧,୮୭୬ ଏସ୍‌ଟି ମାମଲା ରେକର୍ଡ କରାଯାଇଥିବା ବେଳେ ଦୁଇ ଦଶନ୍ଧି ମଧ୍ୟରେ ଏସ୍‌ସି ଅତ୍ୟାଚାରରେ ୧୪୬% ବୃଦ୍ଧି ଏବଂ ଏସ୍‌ଟି ଅତ୍ୟାଚାରରେ ୧୦୩% ବୃଦ୍ଧି ପାଇଛି। ଏସବୁ ମାମଲାରେ ୮୫%ରୁ ଅଧିକ ଚାର୍ଜସିଟ୍ ଦାଖଲ ସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬%ରୁ କମ୍ ରହିଛି।