ଅହମ୍ମଦାବାଦ: ହ୍ୟାଲୋ, ମୁଁ ହାଇକମାଣ୍ଡ କହୁଛି | ଯଦି ନିର୍ବାଚନରେ ଲଢ଼ିବାକୁ ଚାଁହୁଛ, ତେବେ ଏତିକି ଟଙ୍କା ଦିଅ ଆଉ ଦଳୀୟ ଟିକେଟ ଆସି ନେଇଯାଅ | ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାପରେ ଏବେ ବିଭିନ୍ନ ଦଳର ନେତାଙ୍କ ସହ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇଛି | କିଭଳି ଦଳୀୟ ଟିକେଟ ମିଳିପାରିବ ସେନେଇ ଆଶାୟୀ ପ୍ରାର୍ଥୀମାନେ ଚେଷ୍ଟା କରୁଥିବାବେଳେ ଏବେ ସାଇବର ଠକମାନେ ସେମାନଙ୍କ ଜାଲରେ ସେମାନଙ୍କୁ ଫସାଇବାକୁ ଯୋଜନା କରିଛନ୍ତି | ଏହି କଥା ଆମେ କହୁନାହୁଁ, ବରଂ ଗତ କିଛି ଦିନ ଧରି ଗୁଜୁରାଟରେ ଏଭଳି କିଛି ନେତା ଠକାମିର ଶିକାର ହେବା ପରେ ଏବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଟିକେଟ୍ ପାଇବା ପାଇଁ ଗୁଜୁରାଟର କିଛି ନେତାଙ୍କ ସହ ସମାନ ଘଟଣା ଦେଖିବାକୁ ମିଳିଥିଲା ​​ଯେଉଁଠାରେ ନେତାମାନେ ଠକାମିର ଶିକାର ହୋଇଯାଇଛନ୍ତି |

Advertisment

୧୨ ଦିନ ମଧ୍ୟରେ ୪ ଜଣ ନେତା ଏଭଳି ଠକାମିର ଶିକାର ହୋଇଥିବାର ଜଣାପଡିଛି | ଯଦିଓ ନେତାମାନେ ଖୋଲାଖୋଲି ଏବାବଦରେ ମୁହଁ ଖୋଲିନାହାନ୍ତି କିନ୍ତୁ ଜଣେ ନେତା ନାମ ନ ଲେଖିବା ସର୍ତ୍ତରେ କହିଛନ୍ତି ଯେ ସେ ଦଳୀୟ ଟିକେଟ ପାଇବାକୁ ଆଶାୟୀ ଥିବାବେଳେ ହଠାତ ଏକ ଫୋନ କଲଟଙ୍କା ପାଖକୁ ଆସିଥିଲା | ଆଉ ଏଥିରେ ଫୋନ କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଦଳୀୟ ହାଇକମାଣ୍ଡ କହୁଛନ୍ତି ବୋଲି କହିଥିଲେ | ଏହାପରେ ନେତାଙ୍କ ବିଶ୍ୱାସ ଜିତିବା ପରେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲେ | ଦେଢ଼ ଲକ୍ଷ ଟଙ୍କା ଦେଲେ ଟିକେଟ ମିଳିବ ବୋଲି କହିବା ପରେ ନେତା ଜଣକ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ଦେଢ଼ ଲକ୍ଷ ଟଙ୍କା ପଠାଇଥିଲେ | ଏହାପରେ ଉକ୍ତ ବ୍ୟକ୍ତିଙ୍କ ଫୋନ ବନ୍ଦ ହୋଇଯାଇଥିଲା | ଏସବୁ ପରେ ବହୁ ସମୟ ଯାଏଁ ଟିକେଟକୁ ନେଇ କୌଣସି ଫୋନ କଲ ନ ଆସିବାରୁ ସେ ଠକାମିର ଶିକାର ହୋଇଥିବାର ଜାଣିବାକୁ ପାଇଥିଲେ |