ପ୍ରେମ ଦିବସ ନାଁରେ ଅନଲାଇନ ଠକେଇ ; ଦାମୀ ମୋବାଇଲ ଓ ହୋଟେଲ ତାଜ ପ୍ୟାଲେସରେ ରହଣିର ଲୋଭ ଦେଖାଉଛନ୍ତି ସାଇବର ଠକ

 ନୂଆଦିଲ୍ଲୀ : ଆଗକୁ ଆସୁଛି ଭାଲେନଟାଇନ ଡେ । ପ୍ରେମୀ ଯୁଗଳ ଏହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏବେ ସାଇବର ଠକ ଏମାନଙ୍କୁ ଟାର୍ଗେଟ କରି ଖେଳୁଛନ୍ତି ଠକେଇର ନୂଆ ଚାଲ । ଭାଲେନଟାଇନ ଡେ ପାଳନ ନାଁରେ ବିଭିନ୍ନ ଗିଫ୍ଟର ଅଫର ଦେଇ ଆକାଉଣ୍ଟ ଖାଲି କରୁୁଛନ୍ତି ସାଇବର ଲୁଟେରା । ପ୍ରଥମେ ଆପଣଙ୍କୁ ମୋବାଇଲକୁ ହ୍ୱାଟସଅପରେ ଆସିବ ଏକ ଲିଙ୍କ । ଇଏ ହେଉଛି ସେହି ଲିଙ୍କ ।

ଏହି ଲିଙ୍କକୁ ଓପନ କରିବା ମାତ୍ରେ ଆପଣ ପୁରୁଷ କି ନାରୀ ଏବଂ ବୟସ କେତେ, ସେହି ପ୍ରଶ୍ନର ଉତ୍ତର ଦେବାକୁ ହେବ । ତାପରେ କିଛି ସହଜ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ଆପଣଙ୍କୁ । ଉତ୍ତର ଦେବା ପରେ ଏକ ଆପରୁ ମୋବାଇଲରେ ଇନଷ୍ଟଲ କରିବା ପାଇଁ ନିର୍ଦ୍ଦେଶ ଆସିବ । ଏହି ଆପ ଇନଷ୍ଟଲ କରିବା ମାତ୍ରେ ସାଇବର ଲୁଟେରା ହାତକୁ ଚାଲିଯିବ ଆପଣଙ୍କ ଫୋନର ଅପରେସନ । ଆଉ କିଛି ସମୟ ମଧ୍ୟରେ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ ।

ୱେବସାଇଟରେ ଆସୁଥିବା ପ୍ରଶ୍ନର ଉତ୍ତର ଦେବା ପରେ ଆପଣ ବିଜୟୀ ବୋଲି ଏକ ମେସେଜ ଆସିବ ଏବଂ ଉପହାର ଘୋଷଣା ହେବ । ଏହା ଭିତରେ ରହିଛି ତାଜ ଏକ୍ସପେରିଏନ୍ସ ଗିଫ୍ଟ କାର୍ଡ । ଅର୍ଥାତ ଆପଣଙ୍କୁ ତାଜ ହୋଟେଲରେ ୭ଦିନ ମାଗଣାରେ ରହିବାର ସୁଯୋଗ ମିଳିବ । ଏହି ଲିଙ୍କକୁ ଓପନ କଲେ ଆଧାର କାର୍ଡ ଏବଂ ପାନ କାର୍ଡ ଭଳି ବ୍ୟକ୍ତିଗତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଆସୁଛି । ଖାଲି ସେତିକି ନୁହେଁ ଏମଆଇ ଭଳି ଦାମିକିଆ ଫୋନ ପାଇବାର ମେସେଜ ମଧ୍ୟ ଆସିବ । କିନ୍ତୁ ଏସବୁ ଲୋଭନୀୟ ଗିଫ୍ଟ ପଛରେ ଉଦ୍ଦେଶ୍ୟ ହେଲା, ଆପଣଙ୍କ ଆକାଉଂଟ ଖାଲି କରିବା ।

ତେବେ ଏନେଇ ସତର୍କ କରାଇଛି ତାଜ ହୋଟେଲ । ତାଜ ହୋଟେଲ ତରଫରୁ ଟୁଇଟ କରି କୁହାଯାଇଛି, ଭାଲେନଟାଇନ ଡେ ଉପଲକ୍ଷେ ତାଜ ହୋଟେଲ ତରଫରୁ ଏପରି ଅଫର ଦିଆଯାଉନାହିଁ । ଏପରି ଲିଙ୍କକୁ ଜନସାଧାରଣ ବିଶ୍ୱାସକୁ ନିଅନ୍ତୁ ନାହିଁ ।

ବଡ କଥା ହେଲା ତାଜ ହୋଟେଲ କଥା ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ ଏନେଇ ସଚେତନ କରିବା ପରେ, ଟାଟା ଗ୍ରୁପର ଲୋଗୋ ଲଗାଇ ସାଇବର ଲୁଟେରା ପ୍ରସ୍ତୁତ କରିଛନ୍ତି ଆଉ ଏକ ଲିଙ୍କ । ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ତେଣୁ ଯଦି ଆପଣଙ୍କ ପାଖକୁ ଏପରି କିଛି ଲିଙ୍କ ଆସୁଛି, ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ, ସାଇବର ଥାନାରେ ତୁରନ୍ତ ଜଣାନ୍ତୁା ନଚେତ ଆପଣ ହେବେ ସାଇବର ଲୁଟେରାର ପରବର୍ତି ଶିକାର ।

ସମ୍ବନ୍ଧିତ ଖବର