ସାଇବର୍‌ ଆକ୍ରମଣ ଯୋଗୁଁ ୟୁକ୍ରେନୀୟ ସରକାରୀ ୱେବ୍‌ସାଇଟ୍‌ ଓ ପ୍ରମୁଖ ବ୍ୟାଙ୍କ୍ ପ୍ରଭାବିତ

କିୟିଭ୍‌(ୟୁକ୍ରେନ୍‌): ସାଇବର୍ ଆକ୍ରମଣ ହେତୁ ୟୁକ୍ରେନୀୟ ସରକାରୀ ୱେବ୍‌ସାଇଟ୍‌ ଏବଂ ପ୍ରମୁଖ ବ୍ୟାଙ୍କସମୂହ ପ୍ରଭାବିତ ‌ହୋଇଥିବା କଥା ୟୁକ୍ରେନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରାଳୟ, ‘ଡିଡିଓଏସ୍‌’ ଆକ୍ରମଣ ହେତୁ ସଂସ୍କୃତି ମନ୍ତ୍ରାଳୟ ଏବଂ ୟୁକ୍ରେନ୍‌ର ଦୁଇଟି ବୃହତ୍‌ ରାଷ୍ଟ୍ରାୟତ ବ୍ୟାଙ୍କ୍‌ ସମେତ ଅନ୍ୟୂନ ୧୦ଟି ୟୁକ୍ରେନୀୟ ୱେବ୍‌ସାଇଟ୍‌ କାମ କରି ନ ଥିଲା।

ୟୁକ୍ରେନ୍‌ର ସର୍ବବୃହତ୍‌ ରାଷ୍ଟ୍ରାୟତ ବ୍ୟାଙ୍କ୍‌ ‘ପ୍ରିଭାଟ୍‌ବ୍ୟାଙ୍କ’ ଏବଂ ‘ସବେର୍‌ବ୍ୟାଙ୍କ୍’ରେ ଅନ୍‌ଲାଇନ୍ ପେମେଣ୍ଟ୍‌ ଏବଂ ବ୍ୟାଙ୍କ୍‌ ଆପ୍‌ରେ ସମସ୍ୟା ଦେଖାଦେଇଥିବା କଥା ଗ୍ରାହକମାନେ କହିଛନ୍ତି।

ଡେପୁଟି ମିନିଷ୍ଟର୍‌ ଭିକ୍ଟୋର୍‌ ଜୋରା ମଧ୍ୟ ସାଇବର୍‌ ଆକ୍ରମଣ ହୋଇଥିବା କଥା ସୁନିଶ୍ଚିତ କରିଛନ୍ତି।

Khaleej Times

ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ୟୁକ୍ରେନୀୟ ସୂଚନା ମନ୍ତ୍ରାଳୟର ‘ସେଣ୍ଟର୍‌ ଫର୍‌ ଷ୍ଟ୍ରାଟେଜିକ୍‌ କମ୍ୟୁନିକେସନ୍‌ସ୍‌ ଆଣ୍ଡ୍‌ ଇନ୍‌ଫର୍ମେସନ୍‌ ସିକ୍ୟୁରିଟି’ କହିଛି, ଜମାକାରୀଙ୍କ ପାଣ୍ଠି ପ୍ରତି କୌଣସି ବିପଦ୍‌ ନାହିଁ।

ସବିଶେଷ ବିବରଣୀ ନ ଦେଇ ସୂଚନା ମନ୍ତ୍ରାଳୟ କହିଛି ଯେ, ମଙ୍ଗଳବାର ଦିନ ହୋଇଥିବା ସାଇବର୍‌ ଆକ୍ରମଣ ଘଟଣା ରୁଷ୍‌ ଘଟାଇଥାଇ ପାରେ। ବିବୃତିରେ ଉଲ୍ଲେଖ ଅଛି ଯେ, ରୁଷ୍‌ର ସାମଗ୍ରିକ ଆକ୍ରମଣ ଯୋଜନା କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବାରୁ ସେ ଏ ଭଳି ଛୋଟଧରଣ ଦୁଷ୍ଟାମି କରିବା କୌଶଳ ଅବଲମ୍ବନ କରୁଥାଇପାରେ।

ସୂଚନାଯୋଗ୍ୟ, ଜାନୁଆରି ମଧ୍ୟ ଭା‌ଗରେ ୟୁକ୍ରେନ୍‌ର ଏକକାଳୀନ ୭୦ଟି ସରକାରୀ ୱେବ୍‌ସାଇଟ୍‌ ଅକାମିକା ହୋଇଯାଇଥିଲା। ସେଥିପାଇଁ ୟୁକ୍ରେନ୍‌ ରୁଷ୍‌କୁ ଦାୟୀ କରିଥିଲା। ଗତ ମାସରେ ହୋଇଥିବା ଉକ୍ତ ଆକ୍ରମଣ ସମୟରେ ପୋଷ୍ଟ୍‌ ହୋଇଥିବା ଏକ ଘୋଷଣାନାମାରେ ଉଲ୍ଲେଖ ଥିଲା ଯେ, ୟୁକ୍ରେନୀୟମାନେ ଭୟଭୀତ ହେବା ସହ ଚରମ ପରିଣତି ପ୍ରତ୍ୟାଶା କରିବା ଉଚିତ।

୨୦୧୭ରେ ‘ନଟ୍‌ପେତିୟା’ ଭାଇରସ୍‌ଦ୍ବାରା ରୁଷ୍‌ ୟୁକ୍ରେନ୍‌ ଉପରେ ଅନ୍ୟତମ ଚରମ ବିପର୍ଯ୍ୟୟକାରୀ ସାଇବର୍‌ ଆକ୍ରମଣ କରିଥିଲା। ଏଥିଯୋଗୁଁ ବିଶ୍ବବ୍ୟାପୀ ୧୦ ବିଲିୟନ୍‌ ଡଲାର୍‌ ନଷ୍ଟ ହୋଇଥିଲା। ‘ୱାଇପର୍‌’ ନାମରେ ସୁପରିଚିତ ‘ରାନ୍‌ସମ୍‌ୱେର୍‌’ ଭାବେ ଛଦ୍ମବେଶରେ ଥିବା ଏହି ଭାଇରସ୍‌ ସମଗ୍ର ନେଟ୍‌ୱାର୍କକୁ ନଷ୍ଟ କରି ଦେଇଥିଲା।

ସମ୍ବନ୍ଧିତ ଖବର