ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ରାମଲାଲାଙ୍କ ଅଭିଷେକ ଉତ୍ସବ ପାଇଁ ବୈଦିକ କର୍ମକାଣ୍ଡ ୧୬ ତାରିଖରୁ ଆରମ୍ଭ ହେବ। ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟାରେ ଅମୃତ ମହୋତ୍ସବ ପାଳନ ହେବ। ଏଥିପାଇଁ ପ୍ରସ୍ତୁତି ଖୁବ୍ ଜୋରରେ ଚାଲିଛି। ଏଭଳି ସ୍ଥିତିରେ ଇଣ୍ଟରନେଟ୍ ଓ ମୋବାଇଲ ଫୋନ ବ୍ୟବହାରକାରୀଙ୍କୁ ଠକିବା ପାଇଁ ସାଇବର ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ନିରୀହ ବ୍ୟକ୍ତିଙ୍କ ପାଇଁ ସେମାନେ ଜାଲ ବିଛାଇବା ଆରମ୍ଭ କରିଦେଇଛନ୍ତି। ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରୁ ଭିଆଇପି ପ୍ରବେଶ ସୁବିଧା ଯୋଗାଇ ଦେବା ଦାବି କରି ଲୋକଙ୍କ ନିକଟକୁ ହ୍ବାଟ୍ସଆପ୍ ମେସେଜ୍ ଆସୁଛି। କେତେକ ହ୍ବାଟ୍ସଆପ୍ ମେସେଜ୍ରେ ବ୍ୟବହାରକାରୀଙ୍କୁ ରାମ ମନ୍ଦିରରେ ପ୍ରବେଶ ପାଇଁ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଉଛି। ଏଥିରେ ଦାବି କରାଯାଉଛି ଯେ ଉକ୍ତ ମେସେଜ୍ ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ଲାଗି ଏକ ଆମନ୍ତ୍ରଣ।
ସେହିଭଳି ଅନ୍ୟ ଏକ ହ୍ବାଟ୍ସଆପ୍ ମେସେଜ୍ରେ ଏପିକେ (ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ୍) ଫାଇଲ ଡାଉନଲୋଡ଼ କରିବା ପାଇଁ କୁହାଯାଉଛି। ଗୋଟିଏ ମେସେଜ ରାମ ଜନ୍ମଭୂମି ଗୃହସଂପର୍କ ଅଭିଯାନ ଡଟ୍ ଏପିକେ ନାମରେ ଆସୁଛି। ଅନ୍ୟ ଏକ ମେସେଜ୍ ଇନଷ୍ଟଲ ରାମ ଜନ୍ମଭୂମି ଗୃହସଂପର୍କ ଅଭିଯାନ ଏପିକେ ଫାଇଲ ନାମରେ ଆସୁଛି। ଭିଆଇପି ସୁବିଧା ପାଇବା ପାଇଁ ଏହା ପଠାଯାଇଥିବା କୁହାଯାଉଛି। ଅନ୍ୟମାନଙ୍କୁ ମଧ୍ୟ ଏହି ମେସେଜ ସେୟାର କରିବା ଲାଗି ଉତ୍ସାହିତ କରାଯାଉଛି। ସବୁ ମେସେଜ୍ ଶେଷରେ ଜୟ ଶ୍ରୀ ରାମ ଲେଖାଯାଉଛି। ଏସବୁ ମେସେଜ ମୁଖ୍ୟତଃ ଡାଟା ଚୋରି କିମ୍ବା ମୋବାଇଲ ଫୋନରେ ବିପଜ୍ଜନକ ଫାଇଲ, ମାଲୱେର କିମ୍ବା ଆପ୍ ପ୍ରବେଶ କରାଇବା ଲାଗି ଉଦ୍ଦିଷ୍ଟ। ଏସବୁ ପ୍ରୋଗ୍ରାମ ଲୋକଙ୍କ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଗତ ସୂଚନା ଯଥା ପାସୱାର୍ଡ, ବ୍ୟାଙ୍କିଂ ତଥ୍ୟ ଆଦି ଚୋରି କରିପାରେ। ଏପରିକି ଆପଣଙ୍କ କାର୍ଯ୍ୟକ୍ରମକୁ ଅନୁଧାବନ କରିବା ଆଶଙ୍କା ରହିଛି। ଆମନ୍ତ୍ରିତ ବ୍ୟକ୍ତି ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସେହି ସମୟରେ ଅଯୋଧ୍ୟା ନଆସିବାକୁ ପରାମର୍ଶ ଦିଆଯାଉଛି। ତେଣୁ ସାଇବର ଅପରାଧୀଙ୍କ ଜାଲରେ ଯେଭଳି କେହି ନପଡ଼ିବେ ସେ ନେଇ ସତର୍କ ରହିବା ଜରୁରୀ।