ଅସ୍ତ୍ରୋପଚାରରେ ସାଇକେଲ ପମ୍ପ ବ୍ୟବହାର ଘଟଣା : କ୍ଷତିପୂରଣ ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ସାଇକେଲ ପମ୍ପ ବ୍ୟବହାର ଘଟଣାରେ ୫୬ ଜଣ ମହିଳାଙ୍କୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୁଳ ଜିଲ୍ଲା ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟାଜନ ଅସ୍ତ୍ରୋପଚାର ବେଳେ ଘଟିଥିବା ଏହି ଘଟଣାକୁ ବିରୋଧ କରି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଉଲ୍ଳେଖଯୋଗ୍ୟ, ମହିଳାମାନଙ୍କ ଅସ୍ତ୍ରୋପଚାର ସମୟରେ ଇନସଫଲେଟର୍ସ ବଦଳରେ ସାଇକେଲ ପମ୍ପ ଯୋଗେ ପବନ ଦିଆଯାଇଥିବା ଜଣାପଡ଼ିଥିଲା।ଏହି ମାମଲାରେ ଏନ୍‌ଏଚ୍‌ଆର୍‌ସି ରାଜ୍ୟ ସରକାରଙ୍କୁ ଦାୟୀ କରି ପ୍ରତ୍ୟେକ ମହିଳାଙ୍କୁ ୨୫ ହଜାର ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଜବାବ ନ ମିଳିବାରୁ ଉକ୍ତ ମହିଳାମାନଙ୍କୁ କ୍ଷତିପୂରଣ ଦେବା ସହ ୬ ସପ୍ତାହ ମଧ୍ୟରେ ତାହାର ପ୍ରମାଣ ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁନ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧିତ ଖବର