ଉତ୍ତର-ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବା ପରେ ଦିଗ ପରିବର୍ତ୍ତନ କରିବ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା

ନୂଆଦିଲ୍ଲୀ:  ଭୁବନେଶ୍ବରସ୍ଥିତ ପାଣିପାଗ କେନ୍ଦ୍ର କରିଥିବା ଟୁଇଟ୍‌ ଅନୁସାରେ, ସଂଘଠିତ ସୁଦୃଶଃ ଲଘୁଚାପ ଘନୀଭୂତ ହୋଇ ଆଗାମୀ ୬ ଘଣ୍ଟାରେ ଅବପାତ ପାଲଟିବ। ପୁଣି ୮ ତାରିଖ ସନ୍ଧ୍ୟା ସୁଦ୍ଧା ଉକ୍ତ ଅବପାତ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଉତ୍ତରପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ଉପର ଦେଇ ଉତ୍ତର-ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବା ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍‌.କେ. ଜେନାମଣି କହିଛନ୍ତି।

ଆଜି ଲଘୁଚାପ କ୍ଷେତ୍ର ସହିତ ସମ୍ମିଳିତ ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ନିମ୍ନସ୍ତରର ମଧ୍ୟବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇଛି। ଏହି ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚମ ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଅବପାତ ପାଲଟିବାର ସମ୍ଭାବନା ରହିଛି। ମେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅବପାତ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ଅଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଭାରତୀୟ ଉପକୂଳଠାରୁ ଉକ୍ତ ଲଘୁଚାପ କ୍ଷେତ୍ର ସମ୍ପ୍ରତି ୧୦୦୦ରୁ ଊର୍ଦ୍ଧ୍ବ କିଲୋମିଟର୍‌ ଦୂରରେ ରହିଛି।

ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’ ଯଦି ସାମୁଦ୍ରିକ ବାତ୍ୟା ପାଲଟେ, ତେବେ ତା’ର ନାଁ ହେବ ‘ଆସାନୀ’। ଏହି ସମ୍ଭାବ୍ୟ ବାତ୍ୟାର ନାମକରଣ କରିଛନ୍ତି ଶ୍ରୀଲଙ୍କୀୟ ପାଣିପାଗ ବିଭାଗର କର୍ତ୍ତୃପକ୍ଷମାନେ। ସିଂହଳୀ ଭାଷାରେ ‘ଆସାନୀ’ ଶବ୍ଦର ଅର୍ଥ ‘ଭୀଷଣ କ୍ରୋଧ’।

ସମ୍ବନ୍ଧିତ ଖବର