୨୧ରେ ସୃଷ୍ଟି ହେବ ବାତ୍ୟା ‘ଅସାନି’, ଆଣ୍ଡାମାନ ଛୁଇଁ ବାଂଲାଦେଶ ଆଡ଼କୁ ଯିବ

 

ଭୁବନେଶ୍ବର : ବଙ୍ଗୋପସାଗରରେ ଗତ କାଲି ସୃଷ୍ଟି ହଇଥିବା ଲଘୁଚାପ ଆସନ୍ତା ୨୧ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ । ଏହି ସାମୁଦ୍ରିକ ବାତ୍ୟାର ନାଁ ଦିଆଯାଇଛି ‘ଅସାନି’ । ଶ୍ରୀଲଙ୍କା ପକ୍ଷରୁ ଏହି ବାତ୍ୟାର ନାମ ଦିଆଯାଇଛି । ଏହାକୁ ୨୦୨୨ର ପ୍ରଥମ ବାତ୍ୟାର ମାନ୍ୟତା ଦିଆଯାଇଛି । ଏହା ଆସନ୍ତା ୨୧ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ନିକଟରେ ସ୍ଥଳଭାଗ ଛୁଇଁବା ପରେ ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଗତ ବର୍ଷ ଓଡ଼ିଶା, ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିଥିବା ବାତ୍ୟା ଜଓ୍ବାଦର ନାମକରଣ ସାଉଦି ଆରବ ପକ୍ଷରୁ କରାଯାଇଥିବାବେଳେ ତା ପୂର୍ବରୁ ଆସିଥିବା ବାତ୍ୟା ସାହିନର ନାମକରଣ କାତାର ପକ୍ଷରୁ କରାଯାଇଥିଲା । ‘ଅସାନି’ ପରେ ଯଦି କୌଣସି ବାତ୍ୟା ଆସେ ତେବେ ତାହାର ନାମକରଣ ଥାଇଲାଣ୍ଡ ପକ୍ଷରୁ ‘ସିତ୍ରାଙ୍ଗ୍’ ବୋଲି କରାଯିବ ।

ବଙ୍ଗୋପସାଗରରେ ଥିବା ଲଘୁଚାପ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଉପକୂଳରେ ଏକ ଡିପ୍ରେସନରେ ପରିଣତ ହେବ । ପରଦିନ ଅର୍ଥାତ ୨୧ ମାର୍ଚ୍ଚ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ହୋଇ ଏକ ବାତ୍ୟା ରୂପ ନେବ ।

 

 

ସମ୍ବନ୍ଧିତ ଖବର