ନୂଆଦିଲ୍ଲୀ : ଭୟଙ୍କର ରୂପ ନେଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ତଟ ଆଡ଼କୁ ମୁହାଁଇଛି। ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ବୁଧବାର ଦିନ ଗୁଜରାଟର କଚ୍ଛରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ବାତ୍ୟାମାଡ଼ ପୂର୍ବରୁ ଭୂକମ୍ପରେ କଚ୍ଛ ଅଂଚଳ ଦୋହଲି ଉଠିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ୫ କିମି ଦକ୍ଷିଣ ପଶ୍ଚିମରେ ରହିଥିଲା। ଏଥିରେ ବିଶେଷ କ୍ଷତି ହୋଇ ନଥିଲେ ମଧ୍ୟ ସଂପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

Advertisment

ବାତ୍ୟା ଅତି ଭୟଙ୍କର କ୍ଷତି କରିବ ବୋଲି ପୂର୍ବାନୁମାନ କରାଯାଇଛି। କାରଣ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିମି ରହିବ। ସୌରାଷ୍ଟ୍ର, ଦ୍ବାରକା ଏବଂ କଚ୍ଛ ଉପକୂଳରେ ଆଇଏମ୍‌ଡି ରେଡ ଆଲର୍ଟ ଜାରି କରିଛି। ଗୁଜରାଟର ୮ ଜିଲ୍ଲାର ତଳିଆ ଅଞ୍ଚଳରୁ ୫୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ବାତ୍ୟା ସ୍ଥଳଭାଗ ଛୁଇଁବା

publive-image Daily Pioneer

ପୂର୍ବରୁ ଗୁଜରାଟରେ ଏହାର ଭୀଷଣ ପ୍ରଭାବ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହେଲାଣି।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବୁଧବାର ଦିନ ଗାନ୍ଧିନଗରରେ ରାଜ୍ୟ ‘ଏମର୍ଜେନ୍ସି ଅପରେସନ ସେଣ୍ଟର’ରେ ବାତ୍ୟା ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ‌୩ ସେନା ମୁଖ୍ୟଙ୍କ ସହ କଥା ହୋଇଛନ୍ତି ଏବଂ ବାତ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ କିଭଳି ପ୍ରସ୍ତୁତି ଚାଲିଛି ସେନେଇ ୩ ସେନା ମୁଖ୍ୟଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି କଚ୍ଛରେ ବିଭିନ୍ନ ହସ୍ପିଟାଲ ବୁଲି ସ୍ଥିତି ଯାଞ୍ଚ କରିଛନ୍ତି। ହସ୍ପିଟାଲରେ ସଠିକ୍‌ ଭାବେ ଅକ୍ସିଜେନ, ଭେଣ୍ଟିଲେଟର ଏବଂ କ୍ରିଟିକ‌ାଲ କେୟାର ବେଡ୍‌ ଅଛି କି ନା’ ସେନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଯାଞ୍ଚ କରିଛନ୍ତି। କଚ୍ଛ, ଦ୍ବାରକା, ରାଜକୋଟ, ଜାମନଗର ଏବଂ ପୋରବନ୍ଦରରେ ୧୭ ଏନଡିଆରଏଫ୍‌ ଏବଂ ୧୨ ଏସଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ବାତ୍ୟା ପ୍ରଭାବରେ ୮ ରାଜ୍ୟରେ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଗୁଜରାଟ ସମେତ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଡାମନ ଡିୟୁ, ଲାକ୍ଷାଦ୍ବୀପ, ଦାଦ୍ରା ଏବଂ ନଗର ହାବେଳିରେ ପ୍ରବଳ ବର୍ଷା ହେବା ‌ନେଇ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟା ପାଇଁ ୬୯ଟି ଟ୍ରେନ୍‌ ବାତିଲ କରାଯାଇଛି।