ଇଜିପ୍ଟରେ ବିଶ୍ବ ପରିବେଶ ସମ୍ମିଳନୀ କୋପ୍‌-୨୭: ଭାରତରେ ବାତ୍ୟାଜନିତ ମୁତ୍ୟୁ ୯୦ ପ୍ରତିଶତ କମିଛି

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ : କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଗୁଆ ସତର୍କତା ସମ୍ପର୍କିତ କାର୍ଯ୍ୟକାରୀ ଯୋଜନା ନେଇ ଆଜି କୋପ-୨୭ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଯାଦବ କହିଛନ୍ତି, ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କତା ନେଇ ଜାତିସଂଘ ମହାସଚିବଙ୍କ କାର୍ଯ୍ୟସୂଚୀକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ଦୂର କରିବା ଦିଗରେ ବୈଶ୍ୱିକ ସ୍ତରରେ ହେଉଥିବା ପଦକ୍ଷେପ ଯଥେଷ୍ଟ ନୁହଁ। ବିଶ୍ୱରେ ପ୍ରଭୂତ କ୍ଷତି ସାଧନ କରୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।

ଭାରତ ସମସ୍ତ ପାଣିପାଗ ଜନିତ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଗୁଆ ସତର୍କତା ସଚେତନତା ପଦ୍ଧତିକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିଆସୁଛି। ଏଥିରେ ବାସ୍ତବ ଫଳାଫଳ ହାସଲ ହୋଇଛି। ଗତ ୧୫ବର୍ଷ ମଧ୍ୟରେ ଆମେ ବାତ୍ୟାଜନିତ ମୁତ୍ୟୁ ସଂଖ୍ୟା ଶତକଡା ୯୦ଭାଗ ହ୍ରାସ କରିବାରେ ସମର୍ଥ ହୋଇଛୁ। ଆମର ଉଭୟ ପୂର୍ବ ଓ ପଶ୍ଚିମ ଉପକୂଳରେ ପ୍ରାୟ ଶତ ପ୍ରତିଶତ ପ୍ରାକ୍-ଝଡ ସତର୍କତା ବ୍ୟବସ୍ଥା ରହିଛି। ସେହିପରି ଅନ୍ୟାନ୍ୟ ଘାତପ୍ରତିଘାତ ଯେପରିକି ଉଷ୍ମ ପ୍ରବାହ ନେଇ ଆମେ ଅନେକ ଅଗ୍ରଗତି କରିଛୁ, ଯାହା ଫଳରେ ଏହା ଆମର ଜନସାଧାରଣଙ୍କୁ ଅନେକାଂଶରେ ଆଶ୍ୱସ୍ତ କରିଛି ବୋଲି ଯାଦବ କହିଥିଲେ।
ଇଜିପ୍ଟର ଶରମ୍‌ ଏଲ୍‌ ଶେଖ ସହରରେ ଚଳିତମାସ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ବର ୧୨୦ରୁ ଅଧିକ ଦେଶର ନେତୃବୃନ୍ଦ ଯୋଗଦେଇ ଜଳବାୟୁ ପରିବର୍ତ୍ତନକୁ ରୋକିବା ଉପରେ ବିଚାରବିମର୍ଶ କରିବେ।

ସମ୍ବନ୍ଧିତ ଖବର