ଓଡ଼ିଶା ଆଡକୁ ମୁହାଁଉଛି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫୋନି, ରାଜ୍ୟ ସରକାର ସଜାଗ, ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫୋନିର ଗତିପଥ ଧୀରେ ଧୀରେ ଓଡ଼ିଶା ଆଡକୁ ମୁହାଁଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁପ୍ରକାରର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜିଲ୍ଲା ପ୍ରଶାସନ, ଓଡ୍ରାଫ ଓଏନଡିଆରଏଫ ଟିମକୁ ସଜାଗ ରଖାଯାଇଛି । ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଗୃହମନ୍ତ୍ରାଳୟ ତୀକ୍ଷଣ ନଜର ରଖିଛି ।

ଫୋନି ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦ କିଲୋମିଟର ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୮୭୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ ଭୀଷଣ ସାମୁଦ୍ରିକ ଝଡ଼ ଓ ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ଏକ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ଫୋନି ପ୍ରଭାବରେ ଦ୍ୱାରା ଆସନ୍ତା ୩୦ ଏପ୍ରିଲ ଓ ୧ ମଇରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପବନର ବେଗ ଏହିସବୁ ରାଜ୍ୟଗୁଡ଼ିକରେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲୋମିଟର ଓ କେତେକ କ୍ଷେତ୍ରରେ ୧୭୦ କିଲୋମିଟର ଛୁଇଁବା ଆଶଙ୍କା କରାଯାଉଛି । ଓଡ଼ିଶାରେ ଆସନ୍ତା ୨-୩ ରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିପାରେ । ତେବେ ଆସନ୍ତା ୪ ତାରିଖ ପୂର୍ବରୁ ଏହି ବାତ୍ୟା ଲାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀ କହିଛନ୍ତି । କିନ୍ତୁ ଓଡ଼ିଶାରେ ଲାଣ୍ଡଫଲ ହେଲେ ପରିସ୍ଥିତି ଅଧିକ ଭୟଙ୍କର ହେବା ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର