ଚେନ୍ନାଇ: ସାମୁଦ୍ରିକ ଝଡ଼ ଫେଙ୍ଗଲ ଶନିବାର ସନ୍ଧ୍ୟାରେ ପୁଡୁଚେରୀ ନିକଟସ୍ଥ କରାଇକାଲ ଓ ମହାବଳୀପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁଛି। ତା’ ପୂର୍ବରୁ ଚେନ୍ନାଇ ଓ ପୁଡୁଚେରୀ ସମେତ ତାମିଲନାଡୁର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ଷା ସହ ପ୍ରାୟ ୯୦ କିମି ବେଗରେ ପବନ ବହିବା ଯୋଗୁ ଜନଜୀବନ ବ୍ୟାହତ ହୋଇଛି।  ପ୍ରାୟ ୪ ଘଣ୍ଟା ଭିତରେ ବାତ୍ୟା ତାମିଲନାଡ଼ୁ ଅତିକ୍ରମ କରିଥିବା ଜଣାପଡ଼ିଛି। ଚେନ୍ନାଇ ବିମାନବନ୍ଦରରେ ବିମାନ ଚଳାଚଳ ଓ ଲୋକାଲ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ରବିବାର ଭୋର ୪ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ ବୋଲି ସରକାରୀ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ତାମିଲନାଡୁର ୭ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।

Advertisment

ପ୍ରବଳ ବର୍ଷା ଓ ବାତ୍ୟା କାରଣରୁ ଚେନ୍ନାଇ ବିମାନବନ୍ଦରରେ ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। କିନ୍ତୁ ପବନର ଗତିକୁ ଦୃଷ୍ଟିରେ ରଖି ଏହାକୁ ରବିବାର ଭୋର ୪ଟା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଚେନ୍ନାଇ ଡିଭିଜନର ସମସ୍ତ ଉପନଗରୀ ସେକ୍ସନରେ ଲୋକାଲ ଟ୍ରେନ୍ କମ୍ ସଂଖ୍ୟାରେ ଚଳାଚଳ କରୁଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ ରେଳବାଇ ମଧ୍ୟ କାର୍ଯ୍ୟସୂଚୀରେ ପରିବର୍ତ୍ତନ କିମ୍ବା ଅଳ୍ପ ସମୟ ପାଇଁ ସେବା ବନ୍ଦ କରିବାକୁ ଘୋଷଣା କରିଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ସମସ୍ତ ଆଗମନ ଓ ପ୍ରସ୍ଥାନ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆବୁଧାବିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ (୬ଇ୧୪୧୨)କୁ ଖରାପ ପାଗ ଯୋଗୁଁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି।

ତାମିଲନାଡୁ ସରକାର ଚେନ୍ନାଇ, ତିରୁବଲ୍ଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପଟ୍ଟୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଆଇଟି କଂପାନିଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଆଜି ଘରୁ କାମ କରିବାକୁ ଅନୁମତି ଦେବାକୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଚେନ୍ନାଇରେ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟ ଜରୁରିକାଳୀନ ଅପରେସନ୍ ସେଣ୍ଟରରେ ସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କ ପାଇଁ ଶିବିର ସ୍ଥାପନ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସରକାର ପୂର୍ବତଟ ରୋଡ୍ (ଇସିଆର) ଓ ପୁରୁଣା ମହାବଳୀପୁରମ୍ ରୋଡ୍ (ଓଏମ୍ଆର୍) ସମେତ ପ୍ରମୁଖ ରାସ୍ତାଗୁଡ଼ିକରେ ସାଧାରଣ ପରିବହନ ସେବାକୁ ମଧ୍ୟ ବନ୍ଦ କରିଛନ୍ତି। ତଳିଆ ଅଞ୍ଚଳରୁ ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପର୍ଯ୍ୟଟନ ସ୍ଥଳୀ ପୁଡୁଚେରୀରେ ସମୁଦ୍ର କୂଳ ନିକଟରେ ଯେପରି ଲୋକଙ୍କ ଯାତାୟାତ ନ ହୁଏ ସେଥିପାଇଁ ସମୁଦ୍ର କୂଳର ସମଗ୍ର ଅଞ୍ଚଳ ଓ ଅନେକ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରି ଦିଆଯାଇଛି।