ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’: ଓଡ଼ିଶା, ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ସହ ମିଳିତ ବୈଠକରେ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ମୁକାବିଲା ପାଇଁ ନିୟୋଜିତ ହେଲେ ଏନ୍‌ଡିଆରଏଫ୍‌ର ୧୮ଟି ଟିମ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାତ୍ୟା ‘ଗୁଲାବ’ରେ ପରିଣତ ହୋଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ମୁହାଁଇଛି। ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ଗୁଲାବ’ ସଂପର୍କରେ ସୂଚନା ଦେଇ କହିଛି ଯେ ଆଜି (ଶନିବାର) ଅପରାହ୍ନ ୫ଟା୩୦ ସୁଦ୍ଧା ବାତ୍ୟା ‘ଗୁଲାବ’ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶାର ଗୋପାଳପୁର ଠାରୁ ୩୭୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ ଠାରୁ ୪୪୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି (ରବିବାର) ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଉର୍ଦ୍ଧ୍ୱ ବେଗରେ ପବନ ବହିବ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଆଜି (ଶନିବାର) ସନ୍ଧ୍ୟାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ବୈଠକ ଡକାଇ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ଏଜେନ୍‌ସି ତଥା ଓଡ଼ିିଶା ଏବଂ ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ପ୍ରସ୍ତୁତିର ସମୀକ୍ଷା କରିବା ସହ ବାତ୍ୟା କାରଣରୁ ସୃଷ୍ଟି ହେବାକୁ ପରିସ୍ଥିତିର ଆକଳନ କରିଛନ୍ତି। ଏହି ବୈଠକରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପ୍ରସ୍ତୁତି ସଂପର୍କରେ ସବିଶେଷ ସୂଚନା ଦେଇଥିଲେ।

ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ସୂଚନା ଦେଇ କହିଥିଲେ ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ଦୁଇ ରାଜ୍ୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନ୍‌ଡିଆରଏଫ୍‌)ର ୧୮ଟି ଟିମ୍‌କୁ ନିୟୋଜିତ କରାଯାଇ ସାରିଲାଣି ଏବଂ ଅତିରିକ୍ତ ଦଳକୁ ଷ୍ଟାଣ୍ଡବାଇରେ ମଧ୍ୟ ରଖାଯାଇଛି।
ଓଡିଶାରେ ଏନଡିଆରଏଫ୍‌ ଟିମ୍‌ ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଓ ମାଲକାନଗିରି ଏବଂ ଆନ୍ଧ୍ରପ୍ରଦେଶରେ ବିଶାଖାପାଟନମ୍‌, ଶ୍ରୀକାକୁଲମ୍‌, ୟାନାମ ଏବଂ ବିଜୟନଗରମ୍‌ରେ ନିୟୋଜିତ ହୋଇଛନ୍ତି। ଏତଦ୍‌ଭିନ୍ନ ଜାହାଜ ଏବଂ ବିମାନ ସହିତ ଭାରତୀୟ ସେନା ଏବଂ ଭାରତୀୟ ନୌସେନାର ଉଦ୍ଧାରକାରୀ ଓ ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇ ସାରଲେଣି।

ବାତ୍ୟା ଗୁଲାବ ସଂପର୍କରେ ‘ରିଏଲ ଟାଇମ୍‌’ ତଥ୍ୟ ରଖିବା ସହ ଏହାର ପ୍ରତ୍ୟେକଟି ଗତିବିଧି ସଂପର୍କରେ ନିୟମିତ ବ୍ୟବଧାନରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଭାରତୀୟ ପାଣିପାଗ ବିଭାଗକୁ ନିର୍ଦ୍ଦେଶ ଦେବା ସହ ବାତ୍ୟାରେ ମୃତାହତଙ୍କ ସଂଖ୍ୟା ‘ଶୂନ୍ୟ’ ରଖିବା ପାଇଁ ଲକ୍ଷ୍ୟ ରଖି ପ୍ରସ୍ତୁତି କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ କହିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା।

ସମ୍ବନ୍ଧିତ ଖବର