ରବିବାର ସୁଦ୍ଧା ସୃଷ୍ଟି ହେବ ବାତ୍ୟା ତଉକତେ, ମେ ୧୮ରେ ଗୁଜୁରାଟ ଉପକୂଳ ଛୁଇଁବ

ନୂଆଦିଲ୍ଲୀ : ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯ଼ାଇଛି ଓ ଆସନ୍ତା ରବିବାର ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହେବ । ଏହା ଆସନ୍ତା ମଙ୍ଗଳବାର ଅର୍ଥାତ ମେ ୧୮ ସୁଦ୍ଧା ଗୁଜୁରାଟ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି ।

ପାଣିପାଗ ବିଭାଗର ବୁଲେଟିନ ଅନୁସାରେ ଏହି ଲଘୁଚାପ ଶନିବାର ସକାଳ ସୁଦ୍ଧା ଏକ ଡିପ୍ରେସନ ଓ ରବିବାର ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତିକରି ଗୁଜୁରାଟ ଓ ପାକିସ୍ତାନ ଉପକୂଳ ଆଡ଼କୁ ଗତି କରିବ ।

ଏହାକୁ ଚଳିତ ବର୍ଷର ପ୍ରଥମ ବାତ୍ୟା କୁହାଯ଼ାଉଥିବାବେଳେ ଏହାର ନାଁ ରଖାଯ଼ାଇଛି ତଉକତେ । ଏହି ବାତ୍ୟା ପ୍ରଭାବରେ ଗୋଆ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଉପକୂଳ ମହାରାଷ୍ଟ୍ରରେ ମେ ୧୩ରୁ ୧୭ ପର୍ୟ଼୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ ଓ ପ୍ରାୟ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯ଼ିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯ଼ାଇଛି ।

ସମ୍ବନ୍ଧିତ ଖବର