ଚେନ୍ନାଇ : ତାମିଲନାଡ଼ୁରେ ବାତ୍ୟା ମାଣ୍ଡୋସ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଶୁକ୍ରବାର ରାତି ସାଢ଼େ ୧୧ଟାରେ ସ୍ଥଳଭାଗ ଛୁଇଁବା ଆରମ୍ଭ କରି ଶନିବାର ଦିନ ସାଢ଼େ ଗୋଟାଏ ସୁଦ୍ଧା ତାମିଲନାଡ଼ୁର ମାମଲ୍ଲପୁରମ୍‌ ନିକଟରେ ଉପକୂଳ ଅତିକ୍ରମ କରିଥିବା ବାତ୍ୟା ମାଣ୍ଡୋସ ଦୁର୍ବଳ ହୋଇ ଗଭୀର ଅବପାତ(ଡିପ୍ ଡିପ୍ରେସନ)ରେ ପରିଣତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ଭାବେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ଭୂସ୍ଖଳ‌ନରେ ଏ ପର୍ଯ୍ୟନ୍ତ ଚାରିଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ଓ କାର୍ ଭାସିଯାଇଛି, କାନ୍ଥପଡ଼ି ଅନେକ କାର୍ ଭାଙ୍ଗିଯାଇଛି ଏବଂ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡ଼ିଛି। ଗଛ ପଡ଼ି ଓ ବିଜୁଳି ଖୁଣ୍ଟ ଉପୁଡ଼ି ବହୁ ଅଞ୍ଚଳରେ ବିଜୁଳି ସରବରାହ ବ୍ୟାହତ ହୋଇଛି।

Advertisment

ଡିସେମ୍ବର ୯ ଓ ୧୦ ତାରିଖ ରାତିରେ ଚେନ୍ନାଇର ମାରିନା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ବେଳେ ୭୦ କିମି ବେଗରେ ପବନ ବହିବା ଯୋଗୁ ଚେନ୍ନାଇ ସହରରେ ପ୍ରାୟ ୪୦୦ ଗଛ ଭାଙ୍ଗି ବା ଉପୁଡ଼ି ରାସ୍ତା ଉପରେ ପଡ଼ିଛି ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ କହିଛନ୍ତି। ମାସିମେଡୁ ଅଞ୍ଚଳରେ ପରିସ୍ଥିତିର ସମୀକ୍ଷା କରି ଷ୍ଟାଲିନ କହିଛନ୍ତି ଯେ, ସରକାର ପରିସ୍ଥିତିର ପୂର୍ବାନୁମାନ କରି ଆବଶ୍ୟକ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଫଳରେ କ୍ଷୟକ୍ଷତିକୁ ଅନେକାଂଶରେ କମାଯାଇପାରିଛି।

publive-image

ତାମିଲନାଡ଼ୁରେ ଶହ ଶହ ଗଛ ଓ ଇଲେକ୍ଟ୍ରିକ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ କର୍ତ୍ତୃପକ୍ଷ ପୂରା ଦମ୍‌ରେ ରାସ୍ତା ସଫେଇ କାମ ଆରମ୍ଭ କରିଛନ୍ତି। ପ୍ରାୟ ୨୫୦୦୦ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୬୦୦ରୁ ଅଧିକ ସ୍ଥାନରେ ବିଜୁଳି ସରବରାହ ଅଚଳ ହୋଇଯାଇଥିଲା। ଅଧାଅଧି ଅଞ୍ଚଳରେ ସେଗୁଡ଼ିକୁ ଠିକ୍ କରାଯାଇସାରିଲାଣି ଓ ଅବଶିଷ୍ଟ ଅଞ୍ଚଳରେ ଖୁବ୍‌ଶୀଘ୍ର ବିଜୁଳି ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ଷ୍ଟାଲିନ କହିଛନ୍ତି। ବହୁ ଅଞ୍ଚଳ ଜଳମଗ୍ନ ରହିଥିବାରୁ ପ୍ରାୟ ୯୦୦୦ରୁ ଅଧିକ ଲୋକଙ୍କୁ ୨୦୫ଟି ରିଲିଫ କେନ୍ଦ୍ରରେ ରଖାଯାଇଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍ ରାମଚନ୍ଦ୍ରନ କହିଛନ୍ତି। ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ୩୦ଟି ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା ବା ଦିଗ ବଦଳାଯାଇଥିଲା।