ଲ୍ୟାଣ୍ଡ୍‌ଫଲ୍‌ ପରେ ଦୁର୍ବଳ ହେଲା ବାତ୍ୟା ‘ମ୍ୟାଣ୍ଡସ୍‌’; ପ୍ରବଳ ବର୍ଷାରେ ଚେନ୍ନାଇ ରାସ୍ତାଘାଟ ଉବୁଟୁବୁ

ଚେନ୍ନାଇ: ଶୁକ୍ରବାର ରାତିରେ ମହାବଳୀପୁରମ୍‌ ନିକଟରେ ସ୍ଥଳଭାଗରେ ପ୍ରବେଶ କରିବା ପରେ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍‌’ ଦୁର୍ବଳ ହୋଇ ଗଭୀର ଅବପାତ ଓ ପରେ ଅବପାତ ପାଲଟୁଥିବା କଥା ପାଣିପାଗ ବିଭାଗ କହିଛି।

ଶୁକ୍ରବାର ରାତି ପ୍ରାୟ ୧୦.୩୦ରେ ‘ମ୍ୟାଣ୍ଡସ୍‌’ ପୁଡ୍ଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟ ଦେଇ ଘଣ୍ଟାପ୍ରତି ୭୫ କିଲୋମିଟର୍‌ ବେଗରେ ରାତି ପ୍ରାୟ ୧.୩୦ରେ ତାମିଲନାଡୁ ଅନ୍ତର୍ଗତ ମାଲ୍ଲାପୁରମ୍‌ ନିକଟରେ ଉପକୂଳ ଅତିକ୍ରମ କରିଛି।

ବାତ୍ୟା ସ୍ଥଳଭାଗରେ ପ୍ରବେଶ କରି ଦୁର୍ବଳ ହୋଇ ପଡ଼ିବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା କରାଇଛି। ଆଜି ସକାଳ ୫.୩୦ ପର୍ଯ୍ୟନ୍ତ ଚେନ୍ନାଇରେ ୧୧୫.୧ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Image Courtesy of India Today

ସଦ୍ୟତମ ସୂଚନା ଅନୁସାରେ, ଚେନ୍ନାଇରେ ପ୍ରାୟ ୨୦୦ ଗଛ ଉପୁଡ଼ି ପଡ଼ିଛି ଓ ସହରର ରାସ୍ତାଘାଟରେ ପାଣି ଜମିଛି। ପ୍ରଶାସନ ଆଗୁଆ ପଦ‌କ୍ଷେପ ଗ୍ରହଣ କରିଥିବାରୁ ବଡ଼ ବିପତ୍ତି ଟଳିଯାଇଥିବା ଜଣାପଡ଼ିଛି।

ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ନିମନ୍ତେ ପ୍ରାୟ ୧୬,୦୦୦ ପୁଲିସ କର୍ମଚାରୀ, ୧୫୦୦ ହୋମ୍‌ଗାର୍ଡ, ‘ଏସ୍‌ଡିଆର୍‌ଏଫ୍‌’ର ୪୦ଜଣିଆ ଟିମ୍‌ ଓ ‘ଡିଡିଆର୍‌ଏଫ୍‌’ର ୧୨ଟି ଟିମ୍‌ ମୁତୟନ କରାଯାଇଥିଲା ବୋଲି ପୁଲିସ କହିଛି।

‘ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଏସ୍. ବାଳଚନ୍ଦ୍ରନ୍‌ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ବିଗତ ୧୩୦ ବର୍ଷ ହେବ (୧୮୯୧ରୁ ୨୦୨୧) ଚେନ୍ନାଇ ଓ ପୁଡ୍ଡୁଚେରୀ ଉପକୂଳ ଦେଇ ୧୨ଟି ବାତ୍ୟା ପ୍ରବାହିତ ହୋଇଯାଇଛି। ‘ମ୍ୟାଣ୍ଡସ୍‌’ ହେବ ୧୩ଶ ବାତ୍ୟା।

ସମ୍ବନ୍ଧିତ ଖବର