ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ କହିଛି ଯେ ଗଭୀର ଅବପାତ ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ଏହାର ନାମ ‘ସାଇକ୍ଲୋନ୍ ମିଧିଲି’ ରଖାଯିବ- ଯାହା ମାଳଦ୍ୱୀପ ଦ୍ୱାରା ସୁପାରିସ କରା ଯାଇଥିବା ନାମ। ବାଂଲାଦେଶର ଖେପୁପଡ଼ା ଓ ମୋଙ୍ଗଲା ମଧ୍ୟରେ ଶନିବାର ସକାଳେ ବାତ୍ୟା ମିଧିଲି ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।
ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ମୋଙ୍ଗଲା ଓ ଖେପୁପଡ଼ା ମଧ୍ୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ବାଂଲାଦେଶ ଉପକୂଳ ଅତିକ୍ରମ କରିବ।
ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନ, ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୪୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମ୍ଡିର ଜଣେ ଅଧିକାରୀ କହିଛନ୍ତି।
ଗୁରୁବାର ଓ ଶୁକ୍ରବାର ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଗୁରୁବାର ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି।
ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୫୫ରୁ ୬୦ କିମି ବେଗରେ ପବନ ବହିବ। ତେଣୁ ଏହାକୁ ଦୃଷ୍ଟିରେ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ଧୀବରମାନଙ୍କୁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/cyclone-Midhili.jpg)