ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଥିବା ସାମୁଦ୍ରିକ ଝଡ଼ ‘ମିଗଜୋମ’ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା କରିଛି। ଉତ୍ତର ଉପକୂଳ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ୍, ନାଗାପଟ୍ଟିନମ୍, ତିରୁବଲ୍ଲୁର ଏବଂ କୁଡ୍ଡାଲୋର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଚେନ୍ନାଇର ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ତଳିଆ ଅଞ୍ଚଳରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ କାର୍ ଭାସିଯାଇଛି।

Advertisment

ଆସନ୍ତାକାଲି ମଧ୍ୟାହ୍ନରେ ଏହି ବାତ୍ୟା ନେଲ୍ଲୋର ଓ ମଛଲିପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବେସିନ୍ ବ୍ରିଜ୍ ଓ ବ୍ୟାସରପଦୀ ମଧ୍ୟରେ ଥିବା ୧୪ ନମ୍ବର ପୋଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଫଳରେ ଡକ୍ଟର ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନରୁ ବାହାରିଥିବା ୬ଟି ଟ୍ରେନକୁ ବାତିଲ କରାଯାଇଛି। ଏଥିସହ ୧୪ଟି ମେଟ୍ରୋରେ ପ୍ରବଳ ପାଣି ଜମି ରହିଥିବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ୧୨ଟି ଘରୋଇ ବିମାନ ଏବଂ ୪ଟି ଅନ୍ତର୍ଜାତୀୟ ବିମାନ ବାତିଲ କରାଯିବା ସହ ଆସୁଥିବା ୩ଟି ଅନ୍ତର୍ଜାତୀୟ ବିମାନକୁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। ଚେନ୍ନାଇ ବିମାନ ବନ୍ଦରର ରନୱେ ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ। ରିଲିଫ୍ କାର୍ଯ୍ୟରେ ସହଯୋଗ କରିବାକୁ ଦଳୀୟ କର୍ମୀଙ୍କୁ ବିଜେପି ସଭାପତି ଜେପି ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି। ୪ଟି ଜିଲ୍ଲାରେ ସରକାର ୨ ଦିନ ଛୁଟି ଘୋଷଣା କରିଛନ୍ତି।

ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚେନ୍ନାଇର କାନାଥୁରରେ ନବନିର୍ମିତ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ଝାଡ଼ଖଣ୍ଡର ବାସିନ୍ଦା ଥିଲେ। ବାତ୍ୟା ପରିପ୍ରେକ୍ଷୀରେ ଘରୋଇ କମ୍ପାନିର କର୍ମଚାରୀଙ୍କୁ ‘ଘରୁ କାମ କରିବାକୁ’ ଅନୁରୋଧ କରାଯାଇଛି। ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୫ ତାରିଖରେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗର ଦକ୍ଷିଣାଞ୍ଚଳରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇପାରେ।