ମହାରାଷ୍ଟ୍ର ତଟରେ ‘ନିସର୍ଗ’ର ତାଣ୍ଡବ, ମୁମ୍ବାଇରେ ବଡ଼ ବିପଦ ଟଳିଲା

ମୁମ୍ବାଇ : ଭୀଷଣ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ଆଜି ଅପହରାହ୍ନ ଗୋଟାଏ ବେଳେ ମୁମ୍ବାଇଠାରୁ କିଛି ଦୂରରେ ଅବସ୍ଥିତ ଆଲିବାଗ ତଟରେ ଲ୍ୟାଣ୍ଡ୍‌ଫଲ ହୋଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ କିମି ରହିଥିଲା ଏବଂ ଏହାର ପ୍ରଭାବରେ ଶହ ଶହ ଗଛ, ବିଦୁତ ଖୁଣ୍ଟ ଆଦି ଉପୁଡ଼ି ଯିବା ସହ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପାଇଁ ବ୍ୟାପକ ସତର୍କତା ଗ୍ରହଣ କରାଯିବା ସହ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟ ମୁମ୍ବାଇରେ ପହଞ୍ଚିବା ବେଳକୁ ବେଶ୍‌ ଦୁର୍ବଳ ହୋଇଯାଇଥିଲା ‌ଏବଂ ପବନର ବେଗ ଘଣ୍ଟା ପ୍ରତି ୫୦ କିମି ରହିଥିଲା। ମୁମ୍ବାଇରେ ବିଶେଷ ‌କ୍ଷୟକ୍ଷତି ହୋଇନାହିଁ ଏବଂ ଏକ ବଡ଼ ବିପଦ ଟଳି ଯାଇଛି। ସେହିଭଳି ଗୁଜରାଟ ପ୍ରତି ମଧ୍ୟ ଆଉ ବାତ୍ୟାଜନିତ ବିପଦ ନାହିଁ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି ଏବଂ ବିଭିନ୍ନ ସ୍ଥାନରେ ଯାନ ଚଳାଚଳ ବନ୍ଦ ରଖାଯାଇଛି। ମୁମ୍ବାଇ, ଥାନେ, ରାୟଗଡ଼ ରତ୍ନାଗିରିରେ ପ୍ରବଳ ପବନ ସାଂଗକୁ ବର୍ଷା ଜାରି ରହିଥିବାରୁ ଲୋକଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି। ବାତ୍ୟା ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ର ୨୦ଟି ଟିମ୍‌ ମୁତୟନ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ ହଟାଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଲୋକଙ୍କୁ ଦୁଇ ଦିନ ପାଇଁ ଘରୁ ନ ବାହାରିବାକୁ କହିଛନ୍ତି। ମୁମ୍ବାଇରେ ପ୍ରାୟ ୧୦୦ ବର୍ଷ ପରେ ସାମୁଦ୍ରିକ ବାତ୍ୟା ଆସିଛି ଏବଂ ୨ ସପ୍ତାହ ମଧ୍ୟରେ ଭାରତରେ ଏହା ଦ୍ବିତୀୟ ବାତ୍ୟା। ନିକଟରେ ବାତ୍ୟା ଅମ୍ଫାନ ପଶ୍ଚିମବଂଗ ଏବଂ ଓଡ଼ିଶାର ତଟବର୍ତ୍ତୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା।

ସମ୍ବନ୍ଧିତ ଖବର