ନୂଆଦିଲ୍ଲୀ/ ଚେନ୍ନାଇ: ସାମୁଦ୍ରିକ ଝଡ଼ ‘ନିଭାର’ ଧୀରେ ଧୀରେ ଭୀଷଣ ଓ ଭୟଙ୍କର ରୂପ ଧାରଣ କରିବା ସହ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆଜି (ନଭେମ୍ବର ୨୫, ଗୁରୁବାର) ବିଳମ୍ବିତ ସନ୍ଧ୍ୟାରୁ ମଧ୍ୟରାତ୍ର ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। କରାଇକାଲ ଏବଂ ମମଲାଲାପୁରମ୍‌ ମଧ୍ୟରେ ସାମୁଦ୍ରିକ ଝଡ଼ ନିଭାର୍‌ ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।

Advertisment

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସ୍ଥଳଭାଗ ଅତିକ୍ରମ କଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୩୫-୧୪୫ କିଲୋମିଟର ରହିବା ସହ ପବନ ଝଟକାର ବେଗ ୧୫୫ କିଲୋମିଟର ରହିବ। ନଭେମ୍ବର ୨୫ରେ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁ ଜିଲ୍ଲାଗୁଡ଼ିକରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସବୁଠାରୁ ଅସୁରକ୍ଷିତ ଅଞ୍ଚଳ ହେଉଛି ଉତ୍ତର ତାମିଲନାଡୁ ଜିଲ୍ଲା ବୋଲି ସତର୍କ କରାଇ ଦେଇଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ, ପୁଡୁଚେରି ଓ କର୍ଣ୍ଣାଟକରେ ହାଇଆଲର୍ଟ ଜାରି କରାଯାଇଛି। ପୁଡୁଚେରି ସରକାର ୧୪୪ ଧାରା ଜାରି କରିଥିବା ବେଳେ ତାଲିମନାଡୁ ସରକାର ଆଜି ପାଇଁ ସରକାରୀ ଛୁଟି ଘୋଷଣା କରିଛନ୍ତି। ପ୍ରଭାବିତ ହେବାକୁ ଥିବା ତାମିଲନାଡୁର ୧୩ ଜିଲ୍ଲାରେ ବସଚଳାଚଳକୁ ମଧ୍ୟ ବନ୍ଦ ରଖିଦେଇଛନ୍ତି ରାଜ୍ୟ ସରକାର। ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ତାମିଲନାଡୁରେ ଗତକାଲି ସକାଳ ଠାରୁ ଆରମ୍ଭ ହୋଇଥିବା ମୂଷଳ ଧାରାରେ ବର୍ଷା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସତର୍କ କରାଇ ଦେଇଛି।

publive-image

ଏହାର ପ୍ରଭାବରେ ଗତକାଲି (ମଙ୍ଗଳବାର) ସକାଳୁ ତମାମ୍‌ ତାମିଲନାଡୁ ସମେତ ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଚେନ୍ନାଇ ସହର ଏବେ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇ ଉଠିଛି। ଜଳ ନିଷ୍କାସନ ପାଇଁ ଚେମ୍ବାରାମବାକ୍କାମ ହ୍ରଦର ଫାଟକକୁ ଖୋଲାଯାଇଛି। ଏବେବି ଚେନ୍ନାଇର ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ପ୍ରବଳ ବର୍ଷା ଫଳରେ ଚେମ୍ବାରମ୍ବାକ୍କାମ ହ୍ରଦର ଜଳ ସ୍ତର ବୃଦ୍ଧି ପାଇଛି ଏବଂ ୨୦୧୫ ପରଠାରୁ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ହ୍ରଦର ଫାଟକ ଖୋଲିଛନ୍ତି।

ଉପକୂଳ ତାମିଲନାଡୁ ଏବଂ ପୁଡୁଚେରୀର ବହୁ ଅଞ୍ଚଳରୁ ୧୨,୦୦୦ରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଚେନ୍ନାଇ ମ୍ୟୁନିସିପାଲିଟି କର୍ପୋରେସନ୍‌ ମଧ୍ୟ ତାମିଲନାଡୁରେ ନିଭାର ସ୍ଥଳଭାଗ ଅତିକ୍ରମ କରିବା ପୂର୍ବରୁ ସମସ୍ତ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦେଇଛି।
ଅନ୍ୟପକ୍ଷରେ ଚେନ୍ନାଇ ବିମାନବନ୍ଦର ୨୪ଟି ବିମାନର ଉଡ଼ାଣକୁ ବାତିଲ କରିଦେଇଛି। ସାମୁଦ୍ରିକ ଝଡ଼ ନିଭାର ସ୍ଥଳଭାଗ ଛୁଇଁବା ପୂର୍ବରୁ ବୁଧବାର ସକାଳେ ମାରିନା ବିଚ୍‌ର ଆଖପାଖ ଅଞ୍ଚଳ ସମୁଦ୍ର ଜଳରେ ବୁଡ଼ି ଯାଇଥିବାର ଦେଖିବାକୁ ମିଳିଛି।

publive-image

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସାମୁଦ୍ରିକ ଝଡ଼ ନିଭାର୍‌ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ଏହା ବ୍ୟାପକ କ୍ଷତି ଘଟାଇପାରେ, ଗଛଗୁଡିକୁ ଉପୁଡ଼ି ଦେଇପାରେ, କଚ୍ଚା କିମ୍ବା ଟିଣ ଘର ନଷ୍ଟ କରିପାରେ ଏବଂ ଫସଲକୁ ମଧ୍ୟ ନଷ୍ଟ କରିପାରେ। ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ହେବ ଏହାର ପ୍ରଭାବ ପୁଡୁଚେରୀ ଏବଂ କରାଇକାଲରେ ହେବ। ଅନ୍ୟ ପକ୍ଷରେ ପରିସ୍ଥିତି ଉପରେ ଏନ୍‌ଡିଆରଏଫ୍‌ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯିବା ସହ ଏନ୍‌ଡିଆରଏଫ୍‌ର ୮୦ଟି ଦଳକୁ ସଜାଗ ରଖାଯାଇଛି।