ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ମୁହାଁ ହେଉଛି ବାତ୍ୟା ‘ପାବୁକ’ । ଏଥିସହିତ ଏହି ଦ୍ୱୀପପୁଞ୍ଜରେ ‘ୟୋଲୋ’ ଆଲର୍ଟ ଜାରି କରାଯିବା ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଶନିବାର ସୂଚନା ଜାରି କରାଯାଇଛି।
ଥାଇଲ୍ୟାଣ୍ଡରୁ ଉଠିଥିବା ଏହି ବାତ୍ୟା ୧୭କିଲୋମିଟର ପ୍ରତି ଘଣ୍ଟା ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ୁଛି। କିଛି ସମୟ ପାଇଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ବଢ଼ିବାର ସମ୍ଭାବନା ରହିଥିଲା। ଜାନୁଆରୀ ୬ରେ ରାତିରେ ଏହା ଆଣ୍ଡାମାନ ଦ୍ୱୀପ ଅତିକ୍ରମ କରିବ। ପବନର ବେଗ ୭୦ରୁ ୮୦କିମି ରହିଛି। ପାବୁକ୍ ବାତ୍ୟା ପ୍ରଭାବରେ ଆସନ୍ତା କାଲିଠାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲ୍ଲାରେ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ‘ପାବୁକ୍’ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆଗମୀ ତିନରୁ ଚାରିଦିନ ତାପମାତ୍ରା ହ୍ରାସ ପାଇପାରେ ବୋଲି ପାଣିପାଗ ବିଚାରକ ଡକ୍ଟର ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।