ଏବେ ପଶ୍ଚିମବଙ୍ଗର ସାଗର ଦ୍ବୀପଠାରୁ ୫୨୦ କିଲୋମିଟର୍‌ ଦୂରରେ ବାତ୍ୟା ‘ସିତ୍ରାଂ’

ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ସଂଘଠିତ ସାମୁଦ୍ରିକ ବାତ୍ୟା ‘ସିତ୍ରାଂ’ ଏବେ ପଶ୍ଚିମବଙ୍ଗ ଅନ୍ତର୍ଗତ ସାଗର ଦ୍ବୀପଠାରୁ ୫୨୦ କିଲୋମିଟର୍‌ ଦୂରରେ ରହିଥିବା କଥା ଭାରତୀୟ ପାଣିପାଗ ବିଭାଗସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଥାଇଲାଣ୍ଡ୍‌ ନାମିତ କରିଥିବା ଏହି ସାମୁଦ୍ରିକ ବାତ୍ୟା ଯାହାକୁ ଇଂରାଜୀରେ (SITRANG) ଲେଖାଯାଉଛି, ତାହାକୁ ‘ସି-ତ୍ରାଂ’ ବୋଲି ପଢ଼ାଯିବ।

ଗତ ପାହାନ୍ତା ୩.୧୭ରେ ଭାରତୀୟ ପାଣିପାଗ ବିଭାଗ ପୋଷ୍ଟ୍‌ କରିଥିବା ଟୁଇଟ୍‌ ଅନୁସାରେ, ‘ସିତ୍ରାଂ’ ବଙ୍ଗୋପସାଗର ମଧ୍ୟସ୍ଥ ସାଗର ଦ୍ବୀପର ୫୨୦ କିଲୋମିଟର୍‌ ଦକ୍ଷିଣ ଓ ବାଂଲାଦେଶର ବାରୀସାଲ୍‌ର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ପ୍ରାୟ ୬୭୦ କିଲୋମିଟର୍‌ ଦୂରରେ ଥିଲା। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ତୀବ୍ରତର ହୋଇ ଭୀଷଣ ସାମୁଦ୍ରିକ ବାତ୍ୟାରେ ରୂପାନ୍ତର ହେବ।

Image Courtesy of IMD

ଭୀଷଣ ହେବା ପରେ ‘ସିତ୍ରାଂ’ର ବତାସ ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ମଝିରେ ମଝିରେ ପବନ ଦଲକାର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର୍‌ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଆଜି ସାମୁଦ୍ରିକ ବାତ୍ୟା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ପ୍ରବେଶ କରିବାର ସମ୍ଭାବନା ଥିବା ବେଳେ ଏହାର ପ୍ରଭାବରେ ରବିବାର ବିଳମ୍ବିତ ସନ୍ଧ୍ୟାରୁ କୋଲ୍‌କାତା ନଗରୀର କେତେକ ପ୍ରାନ୍ତରେ ସାମାନ୍ୟ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ପରିମାଣ କ୍ରମଶଃ ଅଧିକରୁ ଅଧିକ ହୋଇ ମଙ୍ଗଳବାର ଅପରାହ୍ଣ ପର୍ଯ୍ୟନ୍ତ ବର୍ଷିବ ବୋଲି ପାଣିପାଗ ବିଭାଗ କହିଛି। ବରିଶାଲ୍‌ର ଅତି ନିକଟରେ ବାତ୍ୟା ‘ସିତ୍ରାଂ’ ବାଂଲାଦେଶ ଅନ୍ତର୍ଗତ ତିନ କୋନା ଦ୍ବୀପ ଓ ସନ୍ଦ୍ବୀପ ମଧ୍ୟ ଦେଇ ସ୍ଥଳଭାଗରେ ପ୍ରବେଶ କରିବ।

ସେଥିପାଇଁ, ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିଆସିବା ପାଇଁ କୁହାଯିବା ସହ ପର୍ଯ୍ୟଟକମାନଙ୍କୁ ସମୁଦ୍ରଠାରୁ ଦୂରେଇ ରହିବାକୁ ସତର୍କ କରାଇଦିଆଯାଇଛି। ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା ଓ ମିଦନାପୁର ଜିଲ୍ଲା ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର