ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ସାମୁଦ୍ରିକ ବାତ୍ୟା ସିଟ୍ରାଙ୍ଗରେ ପରିଣତ ହୋଇଛି । ରବିବାର ଅପରାହ୍ଣ ସାଢେ ୫ଟା ବେଳେ ଏହା ବାତ୍ୟା ରୂପ ନେଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବାତ୍ୟା ସାଢେ ୫ଟା ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ବୀପର ଦକ୍ଷିଣକୁ ୫୮୦ କିଲୋମିଟର ଦୂରରେ ଓ ବାଂଲାଦେଶର ବାରିସାଲଠାରୁ ୭୪୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ ଅକ୍ଟୋବର ସକାଳେ ବାଂଲାଦେଶର ଟିନକୋନା ଓ ସାଣ୍ଡଓ୍ବିପ୍ ମଧ୍ୟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।
ଏହି ବାତ୍ୟାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।
ଏହାର ପ୍ରଭାବରେ ୨୪ ତାରିଖ ସକାଳ ସୁଦ୍ଧା ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୫ ତାରିଖ ସକାଳ ସୁଦ୍ଧା କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ସ୍ବାଭାବିକ ରହିବ ।