ରାଞ୍ଚି: ଝାଡ଼ଖଣ୍ଡ ରାଜନୀତିରେ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ବରିଷ୍ଠ ନେତା ଚମ୍ପାଇ ସୋରେନ୍ଙ୍କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଦଳରେ ଅଣଦେଖା, ଅସମ୍ମାନ କରାଯାଉଥିବା ଅଭିଯୋଗ କରି ଦଳ ଛାଡ଼ିବାକୁ ସେ ଇଙ୍ଗିତ ଦେଇଛନ୍ତି। କେବଳ ଏହାନୁହେଁ ନିଜର ଅଧ ଡଜନ ସମର୍ଥକ ବିଧାୟକଙ୍କୁ ସାଥିରେ ନେଇ ଦିଲ୍ଲୀରେ ବସିଛନ୍ତି। ଚମ୍ପାଇଙ୍କ ଏଭଳି ପଦକ୍ଷେପରେ ଜେଏମ୍ଏମ୍ ଏକପ୍ରକାର ବିବ୍ରତ ହୋଇଛି। ଚମ୍ପାଇଙ୍କ ସହ ବୁଝାମଣା ନିମନ୍ତେ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଜେଏମ୍ଏମ୍ର ସହଯୋଗୀ କଂଗ୍ରେସ ତୁରନ୍ତ ‘ଅସନ୍ତୋଷ’ର ସମାଧାନ ପାଇଁ ପରାମର୍ଶ ଦେଇଥିବା ବେଳେ ବିଜେପି ଚମ୍ପାଇଙ୍କ ‘ବିଦ୍ରୋହ’କୁ ସମର୍ଥନ ଜଣାଇଛି। ରାଞ୍ଚି ସ୍ଥିତି ଚମ୍ପାଇଙ୍କ କାର୍ଯ୍ୟାଳୟ ଓ ଷଢ଼େଇକଳା ଜିଲିଙ୍ଗୋରା ବାସଭବନରୁ ଜେଏମ୍ଏମ୍ ପତାକାକୁ ହଟାଇ ଦିଆଯାଇଛି। କୋଲହାନ୍ ଅଞ୍ଚଳର ୬ରୁ ଅଧିକ ବିଧାୟକଙ୍କୁ ନେଇ ଚମ୍ପାଇ ଦିଲ୍ଲୀରେ ଡେରା ପକାଇଛନ୍ତି। ଚମ୍ପାଇଙ୍କ ଏଭଳି ଅକସ୍ମାତ୍ ବିଦ୍ରୋହକୁ ନେଇ ଜେଏମ୍ଏମ୍ର ବିଧାୟକ ଓ ନେତାଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।
ପର୍ଯ୍ୟଟନ ମନ୍ତ୍ରୀ ହଫିଜୁଲ୍ ହସନ୍ କହିଛନ୍ତି, ଚମ୍ପାଇ ସାମାଜିକ ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି, ଏହାସତ୍ତ୍ବେ ସେ ଆଶାବାଦୀ ଅଛନ୍ତି ଯେ ଚମ୍ପାଇ ଦଳ ସହିତ ରହିବେ। ଦଳର ଅନ୍ୟ ଜଣେ ବରିଷ୍ଠ ନେତା କହିଛନ୍ତି, ଦଳର ସ୍ବଳ୍ପ କେତେକ ବିଧାୟକ ଓ ନେତାଙ୍କ ସହ ଚମ୍ପେଇଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଯୋଗାଯୋଗ କରି ଚମ୍ପାଇଙ୍କୁ ବୁଝାଇବାକୁ ଉଦ୍ୟମ କରିବେ। ଜେଏମ୍ଏମ୍ର ଅନ୍ୟଜଣେ ନେତା କହିଛନ୍ତି, ଯଦି ଚମ୍ପାଇ ବାସ୍ତବରେ ଦଳରେ ଅସମ୍ମାନିତ ହୋଇଥିଲେ ଏହି କଥା ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ କିମ୍ବା ଦଳର ମୁଖିଆ ଶିବୁ ସୋରେନ୍ଙ୍କୁ ଜଣାଇପାରିଥାନ୍ତେ। ରାଞ୍ଚିରୁ ସିଧାସଳଖ ଦିଲ୍ଳୀ ଯାଇପାରିଥାନ୍ତେ, କୋଲକାତାରେ କାହିଁକି ରହିଲେ। ଜେଏମ୍ଏମ୍ର ସହଯୋଗୀ କଂଗ୍ରେସର ରାଜ୍ୟ ମୁଖପାତ୍ର ରାକେଶ କୁମାର ସିହ୍ନା କହିଛନ୍ତି, ଶିବୁ ସୋରେନ୍ଙ୍କ ପରେ ଚମ୍ପାଇ ହେଉଛନ୍ତି ଦ୍ବିତୀୟ ପ୍ରମୁଖ ନେତା।
ସେ ନିଜର ବ୍ୟକ୍ତିଗତ ମତ ସାମାଜିକ ଗଣମାଧ୍ୟମରେ ରଖିଛନ୍ତି, ଦଳ ପକ୍ଷରୁ ଏହାର ସମାଧାନ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ। ଅପରପକ୍ଷରେ, ଚମ୍ପାଇ ସ୍ପଷ୍ଟ କରିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ଲଢ଼େଇ। ସେ ବିଧାୟକଙ୍କୁ ନିଜପକ୍ଷକୁ ନେଇ କିମ୍ବା ଦଳକୁ ଭାଙ୍ଗି ଜେଏମ୍ଏମ୍ର ଆଭିମୁଖ୍ୟକୁ କ୍ଷତି ପହଞ୍ଚାଇବାକୁ ଚାହାନ୍ତି ନାହିଁ। ଝାଡ଼ଖଣ୍ଡ ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଜେପି ବଧାୟକ ଅମର ବାଉରୀ କହିଛନ୍ତି, ହେମନ୍ତ ସୋରେନଙ୍କ କ୍ଷମତା ଲୋଭ ଯୋଗୁଁ ଚମ୍ପାଇଙ୍କୁ ବଳପୂର୍ବକ ପଦବିରୁ ହଟାଗଲା। ଚମ୍ପାଇ ତାଙ୍କ ସ୍ବଳ୍ପ ୫ ମାସର ଶାସନ କାଳରେ ଦୁର୍ନୀତିମୁକ୍ତ ଭାବେ ଲୋକଙ୍କ ପାଇଁ କାମ କରିଛନ୍ତି । ହେମନ୍ତଙ୍କ ପରିବାର ସେମାନଙ୍କ ବ୍ୟତୀତ ଅନ୍ୟ କାହାରି ସମ୍ମାନ ଓ କ୍ଷମତା ବୃଦ୍ଧି ପାଇବା ସହ୍ୟ କରିପାରନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/soren.jpg)