ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ତୌତେ ତୀବ୍ରତର ହୋଇଛି ଏବଂ ମେ ୧୮ ତାରିଖ ସୁଦ୍ଧା ଗୁଜରାଟ ଉପକୂଳରେ ପହଞ୍ଚିବ ବୋଲି ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ କହିଛି।

ଶନିବାର ରାତି ପ୍ରାୟ ୧୧.୩୦ ବେଳକୁ ପଞ୍ଜିମ-ଗୋଆ ଦକ୍ଷିଣପଶ୍ଚିମକୁ ୧୭୦ କି‌ଲୋମିଟର ଏବଂ ମୁମ୍ବାଇର ଦକ୍ଷିଣକୁ ୫୨୦ କିଲୋମିଟର ଦୂର ଆରବ ସାଗରରେ ସାମୁଦ୍ରିକ ବାତ୍ୟା ତୌତେ କେନ୍ଦ୍ରୀଭୂତ ହୋଇଥିଲା।

ଆଜି ବଡ଼ି ସକାଳୁ ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ କହିଛି, ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ମେ ୧୮ ତାରିଖ ପ୍ରତ୍ୟୁଷ ବେଳକୁ ପୋରବନ୍ଦର ଏବଂ ଭାବନଗର ଜିଲ୍ଲା ଅନ୍ତର୍ଗତ ମହୁୱା ମଧ୍ୟ ଦେଇ ଗୁଜରାଟ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Image Courtesy of India Today

ଗୁଜରାଟ ଉପକୂଳ ଅତିକ୍ରମ କରିବା ବେଳେ ସାମୁଦ୍ରିକ ବାତ୍ୟା ତୌତେର ଘଣ୍ଟା ପ୍ରତି ବେଗ ଥିବ ପ୍ରାୟ ୧୭୫ କିଲୋମିଟର୍।

ସାମୁଦ୍ରିକ ବାତ୍ୟା ତୌତେ ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବୃଷ୍ଟିପାତର କାରଣ ହେବ। ଏହାଛଡ଼ା, ଏହି ବାତ୍ୟା ହେତୁ ଜୁନାଗଡ଼ ଏବଂ ଗିର ସୋମନାଥରେ ଅତି ପ୍ରବଳ ବର୍ଷା ହେବ। ସେହିଭଳି, ସୌରାଷ୍ଟ୍ର, କଚ ଏବଂ ଦିଉ ଆଦି ଜିଲ୍ଲାର ପୋରବନ୍ଦର, ଦେବଭୂମି ଦ୍ବାରକା, ଆମରେଲି, ରାଜକୋଟ ଏବଂ ଜାମନଗର ଏବଂ ଅନ୍ୟ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଗାଳିବାର ସମ୍ଭାବନା ରହିଛି।

ଏହି ଭୀଷଣ ସାମୁଦ୍ରିକ ବାତ୍ୟା ବିଶେଷକରି, ସୌରାଷ୍ଟ୍ର ଜିଲ୍ଲା ଅନ୍ତର୍ଗତ ଦେବଭୂମି ଦ୍ବାରକା, କଚ, ପୋରବନ୍ଦର, ଜୁନାଗଡ଼, ଗିର ସୋମନାଥ, ଜାମନଗର, ଆମରେଲି, ରାଜକୋଟ ଏବଂ ମୋର୍ବିରେ କଚାଘର, ରାସ୍ତା, ବିଜୁଳି ଓ ଟେଲିଯୋଗାଯୋଗ ଲାଇନ୍‌ ପ୍ରଭୃତି ନଷ୍ଟ କରିପକାଇବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁଜରାଟ ସରକାରଙ୍କୁ ଦେଇଥିବା ‘ଆଡ୍‌ଭାଇଜରି’ରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର