ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ରାତିରୁ ଲଗାଣ ବର୍ଷା ଲାଗି ରହିଛି । ଏହା ଫଳରେ ରାସ୍ତାଘାଟ ଜଳାର୍ଣ୍ଣବ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି । ତେବେ ଏହା ଯୋଗୁଁ ଗତ କିଛି ସପ୍ତାହ ଧରି ରାଜ୍ୟରେ ଦେଖାଯାଇଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତି ସୁଧୁରିବାର ଆଶା ସୃଷ୍ଟିହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ପ୍ରଭାବରୁ ଏହି ବର୍ଷା ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗିବ ରହିବ । ଏବେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ ବର୍ଷା ଲାଗି ରହିଛି । ସେହିପରି ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ତାହା କ୍ରମେ ଏକ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା କାଲି ପର୍ଯ୍ୟନ୍ତ ରାଜ୍ୟର ୧୧ଟି ଜିଲ୍ଲା - କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିବ । ଏଥିପାଇଁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।