ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଆକାଶରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘୂର୍ଣ୍ଣିବଳୟ ପାଲଟିଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।

Advertisment

ସେପଟେ, ‘ମନ୍‌ସୁନ୍‌ ଟ୍ରଫ୍‌’ ତା’ର ସ୍ବାଭାବିକ ସ୍ଥିତିରେ ଥାଇ ଗଙ୍ଗାସାଗର, ହିସାର, ମିରଟ୍‌, ଲକ୍ଷ୍ନୌ, ବାରାଣସୀ, ଗୟା, ବାଲେଶ୍ବର ଏବଂ ସେଠାରୁ ପୂର୍ବ-ଦକ୍ଷିଣପୂର୍ବ ମୁହାଁ ହୋଇ ଉତ୍ତରପୂର୍ବ ବଙ୍ଗୋପସାଗରରେ ସମୁଦ୍ର ପତ୍ତନର ୦.୯ କିଲୋମିଟର୍‌ ଉପରକୁ ପ୍ରସାରିତ ହୋଇ ରହିଛି।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୨୯ରୁ ୩୧ ମଧ୍ୟରେ ଓଡ଼ିଶାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କଥା ଆଜି ସକାଳ ୮.୧୫ରେ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ୍‌ରେ ଉଲ୍ଲେଖ ଅଛି। ଏହାଛଡ଼ା, ଏହି ସମୟ ମଧ୍ୟରେ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ହାଲୁକିଆ ଏବଂ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ବିଶେଷକରି, ଆଜି ଓଡ଼ିଶାର ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଉକ୍ତ ବୁଲେଟିନ୍‌ରେ ସତର୍କ କରାଇ ଦିଆଯାଇଛି।

ଆଗାମୀ ୫ ଦିନ ପାଇଁ ଦେଶର ପାଣିପାଗରେ ସେଭଳି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବାର ସମ୍ଭାବନା ନ ଥିବା କଥା ପାଣିପାଗ ବିଭାଗ କହିଛି।